କାଶ୍ମୀର ଫାଇଲ୍ସ ବିବାଦ: ଇସ୍ରାଏଲୀ ଫିଲ୍ମନିର୍ମାତାଙ୍କୁ ଆଇଏଫ୍‌ଏଫ୍‌ଆଇର ୩ ବିଚାରକଙ୍କ ସମର୍ଥନ

ନୂଆଦିଲ୍ଲୀ: ନିକଟରେ ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଭାରତ ଚଳଚ୍ଚିତ୍ର ମହୋତ୍ସବରେ ବିଚାରକମଣ୍ଡଳୀର ମୁଖ୍ୟ ଥିବା ଇସ୍ରାଏଲୀ ଫିଲ୍ମ ନିର୍ମାତା ନାଦବ ଲାପିଡ଼ ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ପ୍ରଚାରସର୍ବସ୍ବ ଓ ଅଶ୍ଳୀଳ ବୋଲି କହି ବିବାଦ ସୃଷ୍ଟି କରିଥିଲେ। ପରେ ବିଚାରକମଣ୍ଡଳୀରେ ଥିବା ଏକମାତ୍ର ଭାରତୀୟ ସୁଦୀପ୍ତ ସେନ ଲାପିଡ଼ଙ୍କ ମତକୁ ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଥିବା ବେଳେ ଅନ୍ୟ ତିନିଜଣ ବିଚାରକ ଲାପିଡ଼ଙ୍କୁ ସମର୍ଥନ କରିଛନ୍ତି। ଉକ୍ତ ତିନିଜଣ ବିଚାରକ ହେଉଛନ୍ତି ଆମେରିକୀୟ ନିର୍ମାତା ଜିଙ୍କୋ ଗୋଟହ, ଫରାସୀ ଫିଲ୍ମ ଏଡିଟର ପାସ୍କେଲ ଚାଭାନ୍ସ ଓ ଫରାସୀ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଜାଭିୟର ଆଙ୍ଗୁଲୋ ପାର୍ଟୁରେନ। ଉକ୍ତ ତିନିଜଣ ବିଚାରକ ଟ୍ବିଟରରେ ଲାପିଡ଼ଙ୍କୁ ସମର୍ଥନ କରି ସମୂହ ମତ ପ୍ରକାଶ କରିବା ପରେ ଶନିବାର ସେନ ଏହାକୁ ଲାପିଡ଼ଙ୍କ ନିଜସ୍ବ ମତ ବୋଲି କହିଛନ୍ତି। ତେବେ ଗୋଟହ କେଉଁ ଆକାଉଣ୍ଟରୁ ଏହି ମେସେଜଟି ଛାଡ଼ିଛନ୍ତି ତାହା ଜଣାପଡ଼ି ନାହିଁ।

ସେନଙ୍କ ନାମ ମଧ୍ୟ ସେଥିରେ ଉଲ୍ଲେଖ ନାହିଁ। ସେନ ଲେଖିଛନ୍ତି ଯେ ସର୍ବସମ୍ମତିକ୍ରମେ ବିଚାରକମଣ୍ଡଳୀ ୫ଟି ଫିଲ୍ମକୁ ପୁରସ୍କୃତ କରିଥିଲେ। ପରେ ଜଣେ ଜୁରୀ ସଦସ୍ୟ ଲାପିଡ଼ ସର୍ବସାଧାରଣରେ ଗୋଟିଏ ଚଳଚ୍ଚିତ୍ର ବିଷୟରେ ଅରୁଚିକର ମନ୍ତବ୍ୟ ଦେଲେ, ଯାହା ଆଶା କରାଯାଉ ନ ଥିଲା। ତାହା ତାଙ୍କ ବ୍ୟକ୍ତିଗତ ମତ ଏବଂ ଏଥିରେ ବିଚାରକମଣ୍ଡଳୀର କିଛି ଭୂମିକା ନାହିଁ। ୧୯୯୦ ଦଶକରେ କାଶ୍ମୀର ହିନ୍ଦୁ ପଣ୍ଡିତଙ୍କ ଗଣହତ୍ୟା ଓ ଗଣପଳାୟନ ଉପରେ କାଶ୍ମୀର ଫାଇଲ ଚଳଚ୍ଚିତ୍ରଟି ପର୍ଯ୍ୟବସିତ।

ସମ୍ବନ୍ଧିତ ଖବର