ପିତାମାତାଙ୍କ ନିବେଦନ ଶୁଣି କଶ୍ମୀରରେ ଆତ୍ମସମର୍ପଣ କଲେ ଏଲ୍‌ଇଟିରେ ଯୋଗ ଦେଇଥିବା ଫୁଲ୍‌ବଲ୍‌ ଖେଳାଳି

ଶ୍ରୀନଗର: ଗତ ସପ୍ତାହରେ ଦକ୍ଷିଣ ଅନନ୍ତନାଗ ଜିଲ୍ଲାସ୍ଥିତ ଘରୁ ନିରୁଦ୍ଦେଶ ହୋଇ ଆତଙ୍କବାଦୀ ସଙ୍ଗଠନ ଲକ୍ସର୍‌-ଏ-ତୈବାରେ ଯୋଗ ଦେଇଥିବା କଶ୍ମୀରର ତରୁଣ ଫୁଟ୍‌ବଲ୍‌ ଖେଳାଳି ମଜିଦ୍‌ ଇଶ୍ରାଦ୍‌ ଖାଁ ଗୁରୁବାର ଦିନ ଆର୍ମି ଆଗରେ ଆତ୍ମସମର୍ପଣ କରିଛନ୍ତି।

ଗୁରୁବାର ରାତିରେ ଅନନ୍ତନାଗର କୌଣସି ଏକ ସ୍ଥାନରେ ସେନାବାହିନୀର ୧ ରାଷ୍ଟ୍ରୀୟ ରାଇଫଲ୍‌ ସମ୍ମୁଖରେ ୨୦ ବର୍ଷିୟ କଲେଜ ଛାତ୍ର ଜଣକ ଆତ୍ମସମର୍ପଣ କରିଛନ୍ତି। ପରେ ତାଙ୍କୁ ଆର୍ମିର କାଉଣ୍ଟର୍‌ଇନ୍‌ସଜେନ୍ସ୍‌ ଫୋର୍ସ ‘ଓ୍ଵିକ୍ଟର୍‌ ଫୋର୍ସ’କୁ ହସ୍ତାନ୍ତର କରାଯାଇଛି।

ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ତାଙ୍କୁ ପଚରା ଉଚୁରା କରିଛି। ପଚରା ଉଚୁରା ପରେ ତାଙ୍କୁ ତାଙ୍କ ପିତାମାତାଙ୍କୁ ସମର୍ପି ଦିଆଯିବ। ସେ ଯାହାହେଉ, ଆଇନ୍‌ ଅନୁସାରେ ତାଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିବ ବୋଲି ଶ୍ରୀନଗରସ୍ଥିତ ଅଧିକାରୀୟ ସୂତ୍ରରୁ ପ୍ରକାଶ।

ଆତଙ୍କବାଦ ପରିତ୍ୟାଗ କରି ଘରକୁ ବାହୁଡ଼ି ଆସିବାକୁ ତାଙ୍କର ପିତାମାତା ନିବେଦନ କରିବାର ଦିନକ ପରେ ମଜିଦ୍‌ ଆତ୍ମ ସମର୍ପଣ କରିଥିଲେ। ପୁଅ ସହ ଯୋଗାଯୋଗ କରିବାକୁ ସେମାନେ ସାମାଜିକ ଗଣମାଧ୍ୟମ ଏବଂ ଟେଲିଭିଜନ୍‌ର ସହାୟତା ନେଇଥିଲେ।

ଅଳ୍ପ କେତେ ଦିନ ତଳେ ନିରାପତ୍ତା ବଳ କର୍ଡନ-ଆଣ୍ଡ- ସର୍ଚ ଅଭିଯାନ ଆରମ୍ଭ କଲାବେଳେ ପୁଅ କୁଲ୍‌ଗାମ ଜିଲ୍ଲାରେ ଅଟକି ରହିଥିବା ଆତଙ୍କବାଦୀଙ୍କ ମେଳରେ ଥିବା କଥା ଜାଣିବା ପରେ ତାଙ୍କ ପିତା ୫୯ ବର୍ଷିୟ ଅହମଦ୍‌ ଖାଁଙ୍କୁ ହୃଦ୍‌ଘାତ ହୋଇଥିଲା।

ଆତଙ୍କବାଦୀଙ୍କ ଦଳରେ ଯୋଗ ଦେଇଛି ବୋଲି ଲିଖିତ ବାର୍ତ୍ତା ସହ ଏକେ-୪୭ ଧାରଣ କରିଥିବା ଫୁଟ୍‌ବଲ୍‌ ଖେଳାଳିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ତାଙ୍କ ମାଆ ଐଶା ବେଗମ୍‌ ଗତ ଗୁରୁବାର ଠାରୁ ଅଖିଆ ଅପିଆ ଅଛନ୍ତି।

ସମ୍ବନ୍ଧିତ ଖବର