କଶ୍ମୀରର ପ୍ରଥମ ମୁସଲମାନ ମହିଳା ପାଇଲଟ୍‌ ଇରାମ୍‌ ହବିବା

ଶ୍ରୀନଗର: ତିରିଶ ବର୍ଷୀୟ ଇରାମ୍‌ ହବିବା ହେଉଛନ୍ତି ବିମାନ ଚାଳିକା ବା ପାଇଲଟ୍‌ ହୋଇଥିବା ପ୍ରଥମ କଶ୍ମୀର ମୁସଲମାନ ମହିଳା। ଆସନ୍ତା ମାସରେ ସେ ଏକ ଘରୋଇ ଏୟାର୍‌ଲାଇନ୍‌ରେ ଯୋଗ ଦେବେ।

ଇରାମ୍‌ଙ୍କ ପୂର୍ବରୁ ୨୦୧୬ରେ ଉପତ୍ୟକାର ପ୍ରଥମ ମହିଳା ପାଇଲଟ୍‌ ତନ୍ଵି ରାଇନା ଏୟାର୍‌ ଇଣ୍ଡିଆରେ ଯୋଗ ଦେଇଥିଲେ। ସେ କଶ୍ମୀର ପଣ୍ଡିତ ସମ୍ପ୍ରଦାୟର। ଗତବର୍ଷ ଏପ୍ରିଲ୍‌ ମାସରେ କଶ୍ମୀରର ୨୧ ବର୍ଷୀୟ ଆୟେଶା ଅଜିଜ୍‌ ଭାରତର ପ୍ରଥମ ପାଇଲଟ୍‌ ଛାତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ରକ୍ଷଣଶୀଳ କଶ୍ମୀର ମୁସଲମାନ ପରିବାରରୁ ଆସିଥିବାରୁ ଇରାମ୍‌ଙ୍କ ପାଇଁ ପାଇଲଟ୍‌ ହେବାର ମାର୍ଗ ସୁଗମ ନ ଥିଲା।

ତାଙ୍କ ବାପା ସରକାରୀ ଡାକ୍ତରଖାନାକୁ ସର୍ଜିକାଲ୍‌ ଉପକରଣ ଯୋଗାଇବା ବ୍ୟବସାୟ କରନ୍ତି। ପିଲାଦିନୁ ଉଡ଼ିବାର ଅଭିଳାଷ ରଖିଥିବା ଇରାମ୍‌ ବନୀକରଣ ଉପରେ ଡକ୍ଟରେଟ୍‌ କରିବା ସ୍ୱପ୍ନକୁ ବି ପରିହାର କରିଥିଲେ।

କମର୍ସିଆଲ୍‌ ପାଇଲଟ୍‌ ଲାଇସେନ୍‌ସ୍‌ ପାଇବାକୁ ସମ୍ପ୍ରତି ଇରାମ୍‌ ଦିଲ୍ଲୀରେ କ୍ଲାସ ନେଉଛନ୍ତି। ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାର ମିଆମିରୁ ପାଇଲଟ୍‌ ତାଲିମ ସମାପ୍ତ କରିଥିଲେ।

ଇରାମ୍‌ କହନ୍ତି: ମୁଁ ଜଣେ କଶ୍ମୀରୀ ମୁସଲମାନ ହୋଇ ବିମାନ ଚଳାଉଥିବା ଜାଣି ସମସ୍ତେ କାବା ହୋଇ ଯାଉଛନ୍ତି, କିନ୍ତୁ ମୁଁ ମୋ ଲକ୍ଷ ପଥରେ ଆଗେଇ ଚାଲିବି।

 

ସମ୍ବନ୍ଧିତ ଖବର