ନୂଆଦିଲ୍ଲୀ: କଶ୍ମୀରରେ ହିଂସା ସୃଷ୍ଟିକାରୀ ଏବଂ ପଥର ଆକ୍ରମଣକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏଣିକି ପେଲେଟ ଗୁଳି ବଦଳରେ ପ୍ଲାଷ୍ଟିକ୍ ଗୁଳି ବ୍ୟବହାର କରିବା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି। କଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଆଜି ବିଭିନ୍ନ ୟୁନିଟ୍ରେ ୨୧ ହଜାର ପ୍ଲାଷ୍ଟିକ୍ ଗୁଳି ପହଞ୍ଚିଛି। ଅଧିକ ଘାତକ ସାବ୍ୟସ୍ତ ହୋଇଥିବା ପେଲେଟ ଗୁଳି ବଦଳରେ ପ୍ଲାଷ୍ଟିକ୍ ଗୁଳିର ବ୍ୟବହାର ଅଧିକ କରିବା ପାଇଁ ସିଆର୍ପିଏଫ୍୍ ନିଷ୍ପତ୍ତି ନେଇଛି । ଏହି ପ୍ଲାଷ୍ଟିକ୍୍ ଗୁଳି ପେଲେଟ ସଟ୍୍ଗନ ଭଳି କୌଣସି ସ୍ୱତନ୍ତ୍ର ବନ୍ଧୁକରୁ ବ୍ୟବହାର ହେବା ପରିବର୍ତ୍ତେ ସିଧାସଳଖ ଏକେ-୪୭ ଏବଂ ଏକେ-୫୬ ବନ୍ଧୁକର ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ଦ୍ୱାରା ଏହି ଗୁଳି ବିକଶିତ ହୋଇଥିବା ବେଳେ ପୁନେସ୍ଥିତ ଗୋଳବାରୁଦ କାରଖାନାରେ ଏହାର ଉତ୍ପାଦନ ହୋଇଛି। ଡିଆରଡିଓ ଦ୍ୱାରା ପ୍ରସ୍ତୁତ ପ୍ଲାଷ୍ଟିକ୍ ଗୁଳିକୁ ବ୍ୟପକ ଭାବେ ପରୀକ୍ଷା କରାଯାଇଛି ଏବଂ ଏହା ପେଲେଟ୍ ଗନ୍ଠାରୁ ଯଥେଷ୍ଟ କମ୍ ଘାତକ ବୋଲି ଜଣାପଡ଼ିଛି ।
କଶ୍ମୀରରେ ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପେଲେଟ ବ୍ୟବହାରକୁ ଯଥାସମ୍ଭବ କମ୍ କରିବା ନିମନ୍ତେ ଏହି ଗୁଳିର ବିକାଶ କରାଯାଇଥିବା ସିଆରପିଏଫ୍୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କଶ୍ମୀରରେ ପେଲେଟ ଗନ୍ ବ୍ୟବହାର ଯୋଗୁଁ ଶତାଧିକ ଯୁବକ ଦୃଷ୍ଟି ଶକ୍ତି ହରାଇବା ପରେ ଏହାର ବ୍ୟବହାର ନିଷିଦ୍ଧ କରିବାକୁ ବିଭିନ୍ନ ମାନବାଧିକାର ସଂଗଠନ ଦାବି କରିଥିଲେ। ଡିଆରଡିଓ ଦ୍ୱାରା ପ୍ରସ୍ତୁତ ପ୍ଲାଷ୍ଟିକ୍ ଗୁଳିକୁ ବ୍ୟପକ ଭାବେ ପରୀକ୍ଷା କରାଯାଇଛି ଏବଂ ଏହା ପେଲେଟ୍ ଗନ୍ଠାରୁ ଯଥେଷ୍ଟ କମ୍ ଘାତକ ବୋଲି ଜଣାପଡ଼ିଛି । କଶ୍ମୀରରେ ହିଜବୁଲ କମାଣ୍ଡର ବୁରହନ ଓ୍ଵାନିର ନିପାତ ପରେ ଆରମ୍ଭ ହୋଇଥିବା ବ୍ୟାପକ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ପେଲେଟ ଗନ୍୍ ବ୍ୟବହାର କରିଥିଲେ। ଏଥିରେ ୨ ହଜାରରୁ ଅଧିକ ଆହତ ହୋଇଥିଲେ । କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ତୁହାକୁ ତୁହା ପଥର ଆକ୍ରମଣ ହେଉଥିବାରୁ ପେଲେଟ ଗନ୍ ବ୍ୟବହାର ଜରୁରୀ ବୋଲି ସିଆର୍ପିଏଫ୍ ଯୁକ୍ତି ଦର୍ଶାଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା ସୁପ୍ରିମ୍ କୋର୍ଟରେ ପହଞ୍ଚିଥିଲା। ପେଲେଟ ବନ୍ଦ କରିବା ପାଇଁ କଶ୍ମୀରର ନାଗରିକ ସମାଜ ପ୍ରତିନିଧିମାନେ ନିକଟରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ନିବେଦନ କରିଥିଲେ।
ପେଲେଟ୍ ଅପେକ୍ଷା କମ୍ ଘାତକ ପ୍ଲାଷ୍ଟକ୍୍ ଗୁଳି
ନୂଆଦିଲ୍ଲୀ: ହିଂସାଗ୍ରସ୍ତ କଶ୍ମୀରରେ ସିସା ଭର୍ତ୍ତି ପେଲେଟ ଗୁଳିର ବ୍ୟବହାର ବନ୍ଦ କରିବା ପାଇଁ ସିଆର୍ପିଏଫ୍୍ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏବେ ପେଲେଟ ବଦଳରେ ପ୍ଲାଷ୍ଟିକ୍ ଗୁଳିକୁ ନେଇ ଚର୍ଚ୍ଚା ଚାଲିଛି। ଏହି ପ୍ଲାଷ୍ଟିକ୍ ଗୁଳି କମ୍ ଘାତକ ବୋଲି ପ୍ରମାଣିତ ହୋଇଥିବା ବେଳେ ପେଲେଟ ଗୁଳି କିନ୍ତୁ ଅତି ମାରାତ୍ମକ। ପେଲେଟ ଗୁଳି ଥରେ ଫୁଟିଲେ ବିକ୍ଷିପ୍ତ ଭାବେ ବହୁ ସଂଖ୍ୟାରେ ସିସା ଯାଇ ମାଡ଼ ହୋଇଥାଏ। କଶ୍ମୀରରେ ୨୦୧୦ରେ ପେଲେଟ ଗନ୍ ବ୍ୟବହାର ଆରମ୍ଭ ହୋଇଥିଲା। ଗୋଟିଏ ପେଲେଟ ଗନ୍ରେ ଶହ ଶହ ପେଲେଟ ଧାରଣ କରିବାକୁ ସକ୍ଷମ । ଏଥିରୁ ଗୁଳି ଫୁଟିଲେ ଏକା ଥରରେ ଶତାଧିକ ପେଲେଟ ଯାଇ ଗୋଟିଏ ସ୍ଥାନରେ ମାଡ଼ ହୋଇଥାଏ। ତେବେ ପ୍ଲାଷ୍ଟିକ୍୍ ଗୁଳି ଏଭଳି ଘାତକ ନୁହେଁ। ଏହାର ଆଘାତ କେବଳ ଯନ୍ତ୍ରଣା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ଅତି ନିକଟରୁ ଏହି ଗୁଳି ପ୍ରୟୋଗ କରାଗଲେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ସତର୍କତାର ସହ ଅଣ୍ଟା ତଳକୁ ଏହି ଗୁଳି ଚାଳନା କଲେ ଏହା ବିଶେଷ ଘାତକ ହେବନାହିଁ।