ନିଜକୁ ମୁ୍କ୍ତ କରିବା ପାଇଁ ବଣ୍ଡ୍‌ ସ୍ବାକ୍ଷର କଲେ କଶ୍ମୀର ନେତା

ଶ୍ରୀନଗର : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କଶ୍ମୀରର ଅନେକ ନେତାଙ୍କୁ ଅଟକ ରଖାଯାଇଛି। ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ନେଇ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେ‌ହବୁବା ମୁଫ୍‌ତି, ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲାଙ୍କ ସମେତ ଅନେକ ରାଜନେତା, ବିଚ୍ଛିନତାବାଦୀ, ସାମାଜିକ କର୍ମୀ ଏବଂ ଆଇନଜୀବୀଙ୍କୁ ଅଟକ ରଖିଛନ୍ତି। ଏବେ ଜଣାପଡ଼ିଛି ଯେ କିଛି କଶ୍ମୀର ନେତା ନିଜକୁ ମୁ୍କ୍ତ କରିବା ପାଇଁ ବଣ୍ଡ୍‌ ସ୍ବାକ୍ଷର କରିଛନ୍ତି। ହୁରିୟତ ନେତା ମିରୱେଜ୍‌ ଉମର ଫାରୁକ୍‌ ଏବଂ ଅନ୍ୟ ୬ ଜଣ ନିଜକୁ ମୁକ୍ତ କରିବାପାଇଁ ବଣ୍ଡ୍‌ ସ୍ବାକ୍ଷର କରିଥିବା ଜଣାପଡ଼ିଛି। କିନ୍ତୁ ପିପୁଲ୍ସ କନଫରେନ୍ସ ଅଧ୍ୟକ୍ଷ ସଜାଦ୍‌ ଲୋନ୍‌ , ପିଡିପି ଯୁବ ଶାଖା ନେତା ୱାହିଦ୍‌ ପାରା ଏବଂ ଅଫିସରରୁ ରାଜନେତା ପାଲଟିଥିବା ଶାହ ଫଏଜଲ୍‌ ବଣ୍ଡ୍‌ ସ୍ବାକ୍ଷର କରିନାହାନ୍ତି। ମିରୱେଜ୍‌ଙ୍କ ବାଦ୍‌ ଏନ୍‌ସିର ୨ ଜଣ ନେତା, ପିଡିପିର ଜଣେ ନେତା, ପିପୁଲ୍ସ କନଫରେନ୍ସର ୨ ଜଣ ନେତା ବଣ୍ଡ୍‌ ସ୍ବାକ୍ଷର କରିଛନ୍ତି।

ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପ୍ରାୟ ୩୬ ଜଣଙ୍କୁ ‘ସେଣ୍ଟାର ହୋଟେଲ୍‌’ରେ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତା। ତେବେ ଜମ୍ମୁ କଶ୍ମୀର ପ୍ରଶାସନ ଦ୍ବାରା ଅଟକ ଥିବା ଏହି ନେତାମାନଙ୍କୁ ମୁକ୍ତି ଚାହୁଥିଲେ ବଣ୍ଡ୍‌ ସ୍ବାକ୍ଷର କରିବାକୁ କୁହାଯାଇଥିଲା। ଏହି ବଣ୍ଡ୍‌ ଅଧୀନରେ ଜଣେ ବ୍ୟକ୍ତି ମୁକ୍ତ ହେବାପରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ‌ରେ ସାମିଲ ହୋଇପାରିବେ ନାହିଁ। ଯଦି ସେମାନେ ନିୟମ ଉଲ୍ଲଂଘନ କରନ୍ତି, ତା’ହେଲେ ସେମାନଙ୍କୁ ପୁଣି ଗିରଫ କରାଯିବ। ଧାରା ୩୭୦ ଉଚ୍ଛେଦ ହେବାପରେ ବିଚ୍ଛିନ୍ନତାବାଦୀ, ସାମାଜିକ କର୍ମୀ ଏବଂ ଆଇନଜୀବୀଙ୍କ ସମେତ ପ୍ରାୟ ୧୦୦୦ରୁ ଅଧିକ ଅଟକ ରହିଛନ୍ତି। ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି ମଧ୍ୟ ଅଟକ ରହିଛନ୍ତି। ସେହିପରି ଅନ୍ୟ କେତେଜଣଙ୍କୁ ଜମ୍ମୁ କଶ୍ମୀର ବାହାର ଜେଲ୍‌ରେ ରଖାଯାଇଛି। ଫାରୁକ୍‌ ଜନ ସୁରକ୍ଷା ଆଇନ ଅଧୀନରେ ଅଟକ ରହିଥିବା ବେଳେ ଅନ୍ୟ ରାଜନେତାମାନେ ସିଆରପିସିର ବିଭିନ୍ନ ଧାରାରେ ଅଟକ ରହିଛନ୍ତି।

ସମ୍ବନ୍ଧିତ ଖବର