କାଶ୍ମୀର ପଣ୍ଡିତ ଆତଙ୍କିତ: ଟାର୍ଗେଟ୍‌ କିଲିଂ ରୋକିପାରୁନି ସୁରକ୍ଷା ବାହିନୀ

ଶ୍ରୀନଗର : କାଶ୍ମୀରରେ ଏବେ ଆତଙ୍କବାଦୀମାନେ ପୁଣି ଥରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ୍‌ କରି ହତ୍ୟା କରୁଥିବାରୁ ସମଗ୍ର ଘାଟିରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। ବ୍ୟାପକ ସତର୍କତା ପଦକ୍ଷେପ ସତ୍ତ୍ବେ ଆତଙ୍କବାଦୀମାନେ ଜଣେ ପରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍‌ କରି ହତ୍ୟା କରୁଥିବାରୁ ଆଗକୁ ଏ ନେଇ ବଡ଼ ଧରଣର ସଙ୍କଟ ଉପୁଜିବା ଆଶଙ୍କା ରହିଛି। ବହୁ ସଂଘର୍ଷ ଭିତରେ ଜମ୍ମୁ-କାଶ୍ମୀରରେ ପୁନଃ ଥଇଥାନ ହୋଇଥିବା କାଶ୍ମୀର ପଣ୍ଡିତଙ୍କ ଜୀବନର ଏବେ କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ପୀଡ଼ିତ ପରିବାର ଲୋକେ କହିଛନ୍ତି। ଗତକାଲି ଜଣେ ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଆତଙ୍କିତ ଲୋକେ ଅଧିକ ସୁରକ୍ଷା ଦାବି କରିଛନ୍ତି।

କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଜନୀ ବାଲା(୩୬)ଙ୍କୁ ମଙ୍ଗଳବାର ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଶିକ୍ଷୟିତ୍ରୀଙ୍କ ମୃତଦେହ ସାମ୍ବା ଜିଲ୍ଲାର ସୁପୱାଲ ଅଞ୍ଚଳର ନାନକେକ୍ ଗ୍ରାମରେ ଥିବା ତାଙ୍କ ଶାଶୂ ଘରେ ପହଞ୍ଚିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଲହର ଖେଳିଯାଇଥିଲା। ସାଧାରଣ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବାରେ ମିଳିତ ସୁରକ୍ଷା ବାହିନୀ ବିଫଳ ହେଉଥିବାରୁ ଏହାର ପ୍ରତିବାଦ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ସବୁ କାଶ୍ମୀର ପଣ୍ଡିତ ପରିବାରର ସୁରକ୍ଷା ସ୍ଥିତି ଯାଞ୍ଚ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ଟାର୍ଗେଟ୍‌ କିଲିଂ ରୋକିବା ପାଇଁ ସହଜ ନଥିବାରୁ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ମୂଳପୋଛ କରିବା ଲକ୍ଷ୍ୟରେ ସେନା, ସିଆର୍‌ପିଏଫ୍‌ ଏବଂ ପୁଲିସ ବାହିନୀ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଗତ ପାଞ୍ଚ ମାସ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ନିହତମାନଙ୍କ ମଧ୍ୟରେ ଚାରିଜଣ ସୁରକ୍ଷା କର୍ମୀ, ତିନିଜଣ କାଶ୍ମୀର ପଣ୍ଡିତ ଏବଂ ୬ ଜଣ ସ୍ଥାନୀୟ ମୁସଲମାନ ଅଛନ୍ତି। ଏହି ସମସ୍ତ ମାମଲା ଟାର୍ଗେଟ୍‌ କିଲିଂ ହୋଇଥିବାରୁ ସବୁ ଅଂଚଳରେ ଅସୁରକ୍ଷିତ ବାତାବରଣ ଦେଖିବାକୁ ମିଳିଛି।

ଗତକାଲି ହତ୍ୟାର ଶିକାର ହୋଇଥିବା ଶିକ୍ଷୟିତ୍ରୀଙ୍କ ସ୍ବାମୀ କହିଛନ୍ତି, ଚାରିଥର ଆମେ ବଦଳି ପାଇଁ ମୁଖ୍ୟ ଶିକ୍ଷା ଅଧିକାରୀ (ସିଇଓ)ଙ୍କୁ ଅନୁରୋଧ କରିଥିଲୁ। ବିଦ୍ୟାଳୟଟି ଦୂର ସ୍ଥାନରେ ଅବସ୍ଥିତ ଥିବାରୁ ଆମେ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଯାଇ ଆମକୁ ଗୋଟିଏ ବିଦ୍ୟାଳୟରେ ନିଯୁକ୍ତି ଦେବାକୁ ଅନୁରୋଧ କରି ଆବେଦନ ଦାଖଲ କରିଥିଲଉ। ଯଦି କର୍ତ୍ତୃପକ୍ଷ ଆମ କଥା ଠିକ୍ ସମୟରେ ଶୁଣିଥାନ୍ତେ ଏବଂ ନିର୍ଦ୍ଦେଶ ଜାରି କରାଯାଇଥାନ୍ତା ତେବେ ରଜନୀ ବାଲାଙ୍କ ହତ୍ୟା ହୋଇ ନଥାନ୍ତା ବୋଲି ସରକାରୀ ବିଦ୍ୟାଳୟର ଶିକ୍ଷକ ତଥା ରଜନୀଙ୍କ ସ୍ବାମୀ ରାଜ କୁମାର କହିଛନ୍ତି।

ରଜନୀ ବାଲାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ଅନେକ କାଶ୍ମୀରୀ ପଣ୍ଡିତ ଶ୍ରୀନଗରର ବିଭିନ୍ନ ଅଞ୍ଚଳ ଏବଂ ଅନନ୍ତନାଗ ଜିଲ୍ଲାର ଭେସୁଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲ୍‌ଜି) ମନୋଜ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଲୋକଙ୍କ ସୁରକ୍ଷା ଦାବିକୁ କେନ୍ଦ୍ର ସରକାର କିମ୍ବା ପ୍ରଶାସନ କେହି ଶୁଣୁ ନାହାନ୍ତି ବୋଲି ସେମାନେ କହିଥିଲେ। ସରକାର ଯୁଦ୍ଧ ଯୁଦ୍ଧକାଳୀନ ଭିତ୍ତିରେ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଉପତ୍ୟକାରୁ ବହୁ ସଂଖ୍ୟାରେ ଲୋକେ ପଳାୟନ କରିବେ। ଆମକୁ ଜମ୍ମୁର ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର ନକରିବା ପର୍ଯ୍ୟନ୍ତ ବିରୋଧ ଜାରି ରଖିବୁ ବୋଲି ବିକ୍ଷୋଭକାରୀ କାଶ୍ମୀର ପଣ୍ଡିତମାନେ କହିଛନ୍ତି। କାଶ୍ମୀରରେ ଟାର୍ଗେଟ୍‌ କିଲିଂକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଗତକାଲି ଏକ ବିବାଦୀୟ ବୟାନ ଦେଇଥିଲେ। ଏବେ ଘାଟିରେ ଯେଭଳି ସ୍ଥିତି ଆସିଥିରେ ସେଥିରେ ସମସ୍ତଙ୍କ ମୃତ୍ୟୁ ହେବ ବୋଲି ସେ କହିଥିଲେ। ତାଙ୍କର ଏଭଳି ସମ୍ବେଦନହୀନ ବୟାନକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର