କଶ୍ମୀରରେ ପୁଣି ଫୋନ୍‌‌ସେବା ଚାଲୁ, ସୋମବାର ସ୍କୁଲ୍‌ ଖୋଲିବ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି ରହିଥିବା ବେଳେ ସ୍ଥିତି ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ଜନସାଧାରଣଭ୍କ ଯାତାୟତ ଉପରେ ଆଜି କଶ୍ମୀରର ବିଭିନ୍ନ ସ୍ଥାନରେ କଟକଣା ହଟିଛି। କଶ୍ମୀରର କିସ୍ତୱାଡ଼ା ସମେତ ଅ‌ନ୍ୟ କେତେକ ସମ୍ବେଦନଶୀଳ ଅଂଚଳରେ ଦିନରେ କର୍ଫ୍ୟୁ ହଟାଇ ନିଆଯାଇଛି। ସମୁଦାୟ ୯୬ଟି ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ ମଧ୍ୟରୁ ୩୫ ଥାନା ଅଧୀନରେ ଥିବା ୧୭ଟି ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ କାର୍ଯ୍ୟକ୍ଷମ ହୋଇଛି। ସେହିପରି ଜମ୍ମୁ ଅଞ୍ଚଳର ୫ଟି ଜିଲ୍ଲାରେ ପୁନଃ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଦୀର୍ଘ ୧୨ ଦିନର କଟକଣା ପରେ ଏବେ କଶ୍ମୀରରେ ସ୍ବାଭାବିକ ସ୍ଥିତି ଆସିଛି। ତେବେ ହିଂସା ସୃଷ୍ଟି ପାଇଁ ଯୁବଗୋଷ୍ଠୀଙ୍କୁ ଉସୁକାଇବା ନିମନ୍ତେ ଟେଲିଫୋନ ଏବଂ ଇଣ୍ଟରନେଟ୍‌ର ବ୍ୟବହାର ଯେଭଳି ହୋଇ ନପାରିବ ସେ ଦିଗରେ ବ୍ୟାପକ ସତର୍କତା ପଦକ୍ଷେପ ନିଆଯାଇଛି। ଶତାଧିକ ବିଚ୍ଛିନ୍ନତାବାଦୀ ନେତାଙ୍କ ଉପରେ କଡ଼ା ନଜର ରଖାଯାଇଛି।

କଶ୍ମୀରରେ ୧୭ଟି ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ କାର୍ଯ୍ୟକ୍ଷମ ହେବାପରେ ୫୦,୦୦୦ରୁ ଅଧିକ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ପୁଣି କାମ କରିବା ଆରମ୍ଭ କରିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା କଶ୍ମୀରରେ ପ୍ରାୟ ୮୦ ଟେଲିଫୋନ୍‌ ଏକ୍ସଚେଞ୍ଜ୍ କାର୍ଯ୍ୟ କରିବ ବୋଲି କୁହାଯାଉଛି। ସରକାରୀ ମୁଖପାତ୍ର ‌ରୋହିତ କନସଲ୍‌ କହିଛନ୍ତି ଆସନ୍ତା ସୋମବାରଠାରୁ କଶ୍ମୀରରେ ପ୍ରାଥମିକ ସ୍କୁଲ୍‌ ଖୋଲିବ। ଆଜି ବିଭିନ୍ନ ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲିବା ଆରମ୍ଭ ହୋଇଛି। ଶ୍ରୀନଗରର କିଛି ସ୍ଥାନ ତଥା ସିଭିଲ୍‌ ଲାଇନ୍ସ, କ୍ୟାଣ୍ଟନମେଣ୍ଟ୍‌, ରାଜ ବାଗ ଏବଂ ଜବାହର ନଗରରେ ଲ୍ୟାଣ୍ଡଲାଇନ୍‌ ସେବା ଆରମ୍ଭ ହୋଇଛି। କିନ୍ତୁ ଲାଲ୍‌ ଚୌକ ଏବଂ ପ୍ରେସ୍ ଏନକ୍ଲେଭ୍‌ର ବିଭିନ୍ନ ସ୍ଥାନରେ ଏବେ ବି ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବାତିଲ ରହିଛି। ଉତ୍ତର କଶ୍ମୀରର ଗୁରେଜ୍‌, ତଙ୍ଗମଙ୍ଗ୍‌, ଉରି କେରନ୍‌, କରନାହ, ତଙ୍ଗଧର ଅଞ୍ଚଳରେ ମୋବାଇଲ୍‌ ସେବା ଆରମ୍ଭ ହୋଇଛି। ସେହିପରି ଦକ୍ଷିଣ କଶ୍ମୀରର କ୍ବାଜିଗଣ୍ଡ୍‌ ଏବଂ ପହଲଗାମ୍‌ ଅଞ୍ଚଳରେ ମଧ୍ୟ ଟେଲିଫୋନ୍‌ ସେବା ଆରମ୍ଭ ‌ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀ‌ରେ ରୋହିତ କନସଲ୍‌ କହିଛନ୍ତି, ୩୫ ଥାନା ଅଧୀନରେ କଟକଣା ହଟାଇ ଦିଆଯାଇଛି। ଜମ୍ମୁର ୫ ଜିଲ୍ଲାରେ ୨ଜି ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଦିଆଯାଇଛି। କଶ୍ମୀର ଘାଟିରେ ପରିସ୍ଥିତି ସୁଧୁରିଲେ ଅଟକ ରହିଥିବା ରାଜନେତା ଓ ବିଚ୍ଛିନ୍ନତାବାଦୀଙ୍କ ଉପରୁ କଟକଣା ହଟିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର