ଲଣ୍ଡନରେ କଶ୍ମୀର ପ୍ରତିବାଦ; ଭାରତୀୟ ହାଇକମିସନ୍‌ଙ୍କ ଝରକା ଭାଙ୍ଗିଲେ ପ୍ରତିବାଦକାରୀ ପାକିସ୍ତାନୀ

ଲଣ୍ଡନ: ସମଗ୍ର ଇଂଲଣ୍ଡ୍‌ରେ ବସବାସ କରୁଥିବା ବ୍ରିଟିସ୍‌ ପାକିସ୍ତାନୀମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ମଙ୍ଗଳବାର ଦିନ ଶହ ଶହ ଯାନବାହନରେ ଆସି ସେଠାକାର ଭାରତୀୟ ହାଇକମିସନର୍‌ଙ୍କ ଝରକା ଭାଙ୍ଗିବା ସହ ରାସ୍ତାଘାଟରେ ପାଟିତୁଣ୍ଡ କରିଥିଲେ।

ଏ ଘଟଣାରେ ଭାରତୀୟ ବଂଶୋଦ୍ଭବମାନଙ୍କ ମଧ୍ୟରୁ କେହି ପ୍ରତିରୋଧାତ୍ମକ ପ୍ରତିବାଦ କରି ନ ଥିଲେ। ବ୍ରିଟିସ୍‌ କଶ୍ମୀରୀ ସଂଗଠନଗୁଡ଼ିକ ଦ୍ୱାରା ଆୟୋଜିତ ‘କଶ୍ମୀର ଫ୍ରିଡମ୍‌ ମାର୍ଚ’ରେ ପ୍ରତିବାଦକାରୀମାନେ କେତେକ ୟୁକେ ଲେବର୍‌ ପାର୍ଟି ସାଂସଦଙ୍କ ନେତୃତ୍ୱରେ ପାର୍ଲାମେଣ୍ଟ୍‌ ଛକରୁ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ ଥିବା ଭାରତୀୟ ହାଇକମିସନ୍‌ଙ୍କ ଅଟ୍ଟାଳିକା ନିକଟକୁ ଯାଇଥିଲେ। ପ୍ରତିବାଦକାରୀମାନେ ‘କଶ୍ମୀରରେ ବୋମାମାଡ଼ ବନ୍ଦ କର’, ‘କଟକଣା ପ୍ରତ୍ୟାହାର କର’, ‘କଶ୍ମୀର ପାଇଁ କାମ କରିବାକୁ ଜାତିସଂଘର ସମୟ ଆସିଛି’ ‘କଶ୍ମୀରରେ ଅପରାଧ ବନ୍ଦ କର ଆଦି ଲେଖାଥିବା ପିଓକେ ଏବଂ ଖଲିସ୍ତାନ ପତାକା ଏବଂ ପ୍ଲାକାର୍ଡ ଧରିଥିଲେ ଚିତ୍କାର କରୁଥିଲେ: ଆମେ ସ୍ୱାଧୀନତା ଓ ଆଜାଦି ଚାହୁଁ।

Image Source: Times of India

ଅଲ୍‌ଡ୍‌ଓ୍ଵିଚ୍‌ସ୍ଥିତ କମିସନ୍‌ ଅଟ୍ଟାଳିକାରେ ପହଞ୍ଚିବାରେ ପ୍ରତିବାଦକାରୀମାନଙ୍କୁ ବାଧା ଦେବା ନିମନ୍ତେ ବେରିକେଡ୍‌ ପୋତା ଯାଇଥିଲା। କିନ୍ତୁ, ସେମାନେ ଅଟ୍ଟାଳିକାର କେତେକ ଝରକା ଉପରକୁ ଶହ ଶହ ଅଣ୍ଡା, ବିଲାତିବାଇଗଣ, ଜୋତା, ଢେଲା, ଧୂଅାଁବୋମା ଏବଂ ବୋତଲ ଆଦି ଫିଙ୍ଗିଥିଲେ। ଭଙ୍ଗା ଝରକାର କେତୋଟି ଫଟୋ ଭାରତୀୟ ହାଇକମିସନ୍‌ ଟୁଇଟ୍‌ କରିଛନ୍ତି।

ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା କଥା ଜଣେ ମେଟ୍ରୋପଲିଟାନ୍‌ ପୁଲିସ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର