ଠପ୍‌ ହୋଇଗଲା କଶ୍ମୀର

ସୁପ୍ରିମ୍‌ କୋର୍ଟରେ ଧାରା ୩୫-କ ଶୁଣାଣିକୁ ବିରୋଧ

ଜମ୍ମୁ: ସୁପ୍ରିମ୍‌କୋର୍ଟରେ ଧାରା ୩୫-କ ଶୁଣାଣିକୁ ବିରୋଧ କରି ବିଚ୍ଛିନ୍ନତାବାଦୀ ପକ୍ଷରୁ ଆଜି କଶ୍ମୀର ବନ୍ଦ ପାଳନ କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ପରିବହନ, ଯାତାୟାତ ଠପ୍‌ ହୋଇଯିବା ସହିତ ସ୍କୁଲ-କଲେଜ ମଧ୍ୟ ବନ୍ଦ ରହିଛି। ସବୁ ଦିଗରୁ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯାଉଛି। ଏମିତି କି ଅମରନାଥ ଯାତ୍ରାକୁ ମଧ୍ୟ ଦୁଇଦିନ ପାଇଁ ବାତିଲ କରାଯାଇଛି। ଖାଲି ସେତିକି ନୁହେଁ, କଶ୍ମୀରରେ ଅଟୋରିକ୍ସା ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଗତ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ବଡ଼ଧରଣର ବନ୍ଦ ପାଳନ କରାଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ରାଜନୈତିକ ଦଳ, ସାମାଜିକ ସଂଗଠନ, ପର୍ଯ୍ୟଟନ କ୍ଷେତ୍ର, ବ୍ୟବସାୟିକ ପ୍ରତିଷ୍ଠାନ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି। ଆସନ୍ତାକାଲି ମଧ୍ୟ ବନ୍ଦ ଜାରି ରହିବ। ଡାଲ୍‌ ହ୍ରଦରେ ନୌ ଚାଳନା ମଧ୍ୟ ଆଜି ବନ୍ଦ ହୋଇପଡ଼ିଛି। ବନ୍ଦ ଯୋଗୁ ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି କଶ୍ମୀରର ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏ ସଂକ୍ରାନ୍ତରେ ଡାଲ୍‌ ହ୍ରଦରେ ଡଙ୍ଗା ଚାଳନା କରି ପେଟ ପୋଷୁଥିବା ୩୪ ବର୍ଷୀୟ ଜାଭେଦ୍‌ ଅହମ୍ମଦ କୁହନ୍ତି, ଧାରା ୩୫-କ ଉଚ୍ଛେଦ କରିବା ଲାଗି ଯୋଜନା କରାଯାଉଛି। ଏହାଦ୍ୱାରା ଜମ୍ମୁ-କଶ୍ମୀର ଏହାର ସ୍ୱତନ୍ତ୍ର ପାହ୍ୟା ହରାଇବ ବୋଲି ରାଜ୍ୟବାସୀ ଆଶଙ୍କା କରୁଛନ୍ତି। ଏମିତି କି ଏଠାରେ ବାହ୍ୟ ଶକ୍ତିର ପ୍ରଭାବ ବଢ଼ିବ ବୋଲି ମଧ୍ୟ କୁହାଯାଉଛି। ତେଣୁ ଆମେ କେମିତି ଚୁପ୍‌ ରହିବୁ ବୋଲି ଜାଭେଦ୍‌ ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରକୁ ସଶକ୍ତ କରିବା ଲାଗି ସମ୍ବିଧାନରେ ଧାରା ୩୫-କ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହାକୁ ବିରୋଧ କରାଯାଇ ସୁପ୍ରିମ୍‌କୋର୍ଟରେ ଏକାଧିକ ଜନସ୍ୱାର୍ଥ ଆବେଦନ କରାଯାଇଛି। ସୋମବାର ତାହାର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୁପ୍ରିମ୍‌କୋର୍ଟ ଯଦି ଧାରା ୩୫-କ ଉଚ୍ଛେଦ ଲାଗି ରାୟ ପ୍ରଦାନ କରନ୍ତି, ଜମ୍ମୁ-କଶ୍ମୀରକୁ ଏହା ଏକ ଧକ୍କା ସଦୃଶ ହେବ। କାରଣ ଏହି ଧାରା ଯୋଗୁ ରାଜ୍ୟ ଅନେକ ରିହାତି ପାଇବା ସହିତ ରାଜ୍ୟର ସ୍ଥାୟୀ ବାସିନ୍ଦା ଚିହ୍ନଟ ପାଇଁ କ୍ଷମତା ପାଇଛି। ଏମିତି କି ରାଜ୍ୟ ଏହାର ସ୍ଥାୟୀ ବାସିନ୍ଦା ଚିହ୍ନଟ ସହିତ ସେମାନଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିପାରୁଛି। କିନ୍ତୁ ଏହି ଧାରାରେ ଥିବା ବ୍ୟବସ୍ଥା ମଧ୍ୟରୁ କୌଣସି ଗୋଟିଏକୁ ପ୍ରଭାବିତ ନ କରିବା ଲାଗି ବିଚ୍ଛିନ୍ନତାବାଦୀମାନେ ଦାବି କରୁଛନ୍ତି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବାରୁ ୩୫-କ ଶୁଣାଣିକୁ ସ୍ଥଗିତ ରଖିବା ଲାଗି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ବିଚ୍ଛିନ୍ନତାବାଦୀ ନେତା ସୟିଦ୍‌ ଅଲ୍ଲୀ ଗିଲାନୀ, ମିର୍‌େଓ୍ଵଜ୍‌ ଉମର ଫାରୁକ୍‌ ଏବଂ ୟାସିନ୍‌ ମଲିକ୍‌ ରବିବାର ଓ ସୋମବାର କଶ୍ମୀର ବନ୍ଦ ଡାକରା ଦେଇଥିବା ବେଳେ ନ୍ୟାସ୍‌ନାଲ୍‌ କନ୍‌ଫରେସନ୍ସ (ଏନ୍‌ସି) ଓ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର