ନୂଆଦିଲ୍ଲୀ : କାଶ୍ମୀର ଟାର୍ଗେଟ୍‌ କିଲିଂ ନେଇ ଗୁଇନ୍ଦା ସଂସ୍ଥା ଆଜି ଏ ସଂକ୍ରାନ୍ତ ଷଡ଼୍‌ଯନ୍ତ୍ରର ପର୍ଦ୍ଦାଫାସ କରିଛି। କାଶ୍ମୀରରେ ଯେଉଁ ଟାର୍ଗେଟ୍‌ କିଲିଂ ହେଉଛି ସେନେଇ ଗତବର୍ଷ ପିଓକେ (ପାକ୍‌ ଅଧିକୃତ କାଶ୍ମୀର)ଅନ୍ତର୍ଗତ ମୁଜାଫରବାଦରେ ଯୋଜନା ହୋଇଥିଲା। ୨୦୨୧, ସେପ୍ଟେମ୍ବର ୨୧ରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଅଧିକାରୀ ଏବଂ ଅନ୍ୟ ଆତଙ୍କବାଦୀ ସଂସ୍ଥାମାନଙ୍କ ସହ ମୁଜାଫରବାଦରେ ଏକ ବୈଠକ ହୋଇଥିଲା। ଏହି ଯୋଜନା ସମୟରେ ଯେଉଁମାନଙ୍କୁ ହତ୍ୟା କରାଯିବା ସେମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଥିଲା। ଏହି ତାଲିକାରେ ୨୦୦ ଲୋକଙ୍କ ନାମ ଥିଲା। ଗୁଇନ୍ଦା ସଂସ୍ଥା ଅନୁଯାୟୀ ନୂଆ ନାମରେ ଆତଙ୍କବାଦୀ ସଂଗଠନ ଗଢ଼ିବାକୁ ଯୋଜନା ହୋଇଥିଲା। ଗତବର୍ଷ ଅକ୍ଟୋବରରେ ମଧ୍ୟ ଏନେଇ ଏକ ଖବର ପ୍ରକାଶ ପାଇଥିଲା।

Advertisment

ଆତଙ୍କବାଦୀମାନେ ନୂଆ ନାମରେ ସଂଗଠନ ଗଢ଼ି ଆକ୍ରମଣ ପାଇଁ ଯୋଜନା କରିଥିଲେ। କାଶ୍ମୀର ପଣ୍ଡିତ, ସୁରକ୍ଷା କର୍ମୀ, ଆରଏସଏସ୍‌ ଏବଂ ବିଜେପିର ସ୍ଥାନୀୟ କର୍ମୀ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ୍ କିଲିଂ ପାଇଁ ଯୋଜନା ହୋଇଥିଲା। ଉଲ୍ଲେଖଯୋଗ୍ୟ, କାଶ୍ମୀରରେ ପୃଥକ୍‌ ଟାର୍ଗେଟ୍‌ କିଲିଂ ଘଟଣାରେ ୨୬ ଦିନରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ସମଗ୍ର ଘାଟିରେ ଆତଙ୍କର ବାତାବରଣ ଜାରି ରଖିବାକୁ ପାକ୍‌ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ଆତଙ୍କବାଦୀ ସଂଗଠନର ସଂଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।