ଟୁରିଷ୍ଟ ଭିସା ନେଇ ପାକିସ୍ତାନ ଯାଉଛନ୍ତି, ଆତଙ୍କବାଦୀ ହୋଇ ଫେରୁଛନ୍ତି: ଜମ୍ମୁକଶ୍ମୀର ପୁଲିସ ମୁଖ୍ୟ

ଶ୍ରୀନଗର: ପର୍ଯ୍ୟଟକ ଏବଂ ଛାତ୍ର ଭିସା ନେଇ କଶ୍ମୀରର ଯୁବକମାନେ ଆତଙ୍କବାଦୀ ତାଲିମ ପାଇଁ ପାକିସ୍ତାନ ଯାଉଛନ୍ତି ଓ ଟ୍ରେନିଂ ପରେ ଆତଙ୍କବାଦୀ ହୋଇ ଫେରୁଛନ୍ତି | ଜମ୍ମୁକଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଓ ଏହାର ସମର୍ଥକମାନେ ଧର୍ମ ନାମରେ ଜମ୍ମୁକଶ୍ମୀରର ବିଭିନ୍ନ ସ୍ଥାନରୁ ଯୁବକମାନଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ଆତଙ୍କବାଦୀ କରିବାକୁ ଚେଷ୍ଟା କରୁଛନ୍ତି। କଶ୍ମୀରର ଅନେକ ଯୁବକ ଟୁରିଷ୍ଟ ଭିସା ନେଇ ପାକିସ୍ତାନ ଯାଇଛନ୍ତି ଓ ଆତଙ୍କବାଦୀ ଭାବରେ ଫେରିଛନ୍ତି | ଆତଙ୍କବାଦୀମାନେ ସ୍ଥାନୀୟ ଯୁବକମାନଙ୍କୁ ତାଲିମ ଦେବା ପାଇଁ ଏଭଳି ପନ୍ଥା ଆପଣାଇଛନ୍ତି |

୨୦୧୭ ମସିହାରେ କଶ୍ମୀରର ପ୍ରାୟ ୫୭ ଜଣ ଯୁବକ ଟୁରିଷ୍ଟ ଭିସା ନେଇ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର ଯାଇଥିଲେ। ଏହି ଯୁବକମାନେ ସେଠାରେ ଆତଙ୍କବାଦୀ ଶିବିରରେ ପହଞ୍ଚିଥିଲେ। ଟ୍ରେନିଂ ସରିବା ପରେ ଏଥିମଧ୍ୟରୁ ୩୦ ଜଣ ଯୁବକ ସୀମା ପାର ହୋଇ ଭାରତକୁ ଫେରିଆସିଥିଲେ ଓ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ | ସେମାନଙ୍କ ମଧ୍ୟରୁ ୧୭ ଜଣ ବିଭିନ୍ନ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଜମ୍ମୁକଶ୍ମୀରରେ ୧୩ ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି, ଯେଉଁମାନେ ପାକିସ୍ତାନ ଯାଇ ଆତଙ୍କବାଦୀ ଭାବରେ ଫେରିଥିଲେ।

ଅନ୍ୟମାନେ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି, ସେମାନଙ୍କୁ ନିରନ୍ତର ତଦାରଖ କରାଯାଉଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ ବର୍ତ୍ତମାନ ଜମ୍ମୁକଶ୍ମୀରର ଆଉ ଯୁବକ ଆତଙ୍କବାଦୀ ହେବା ପାଇଁ ପାକିସ୍ତାନ ଯାଇପାରିବେ ନାହିଁ କାରଣ ପାସପୋର୍ଟ ପ୍ରଦାନ ପ୍ରକ୍ରିୟା, ସିଆଇଡି ତଦନ୍ତରେ ବ୍ୟାପକ ସଂଶୋଧନ କରାଯାଇଛି। ଏମିତି ଏକ ଶକ୍ତିଶାଳୀ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା କୌଣସି ଯୁବକ ଆତଙ୍କବାଦୀ ହେବା ପାଇଁ ପାସପୋର୍ଟ ପାଇପାରିବେ ନାହିଁ |

ସମ୍ବନ୍ଧିତ ଖବର