ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶାସକ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ  ବିରୋଧୀ ଦଳର ଅନେକ ପ୍ରମୁଖ ନେତାଙ୍କୁ  ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି।  କାଶ୍ମୀର ସହିଦ ଦିବସ ପାଳନ ଉତ୍ସବରେ ଏହି ନେତାମାନଙ୍କୁ ଯୋଗଦେବାରୁ ରୋକିବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି ଏବଂ ଏହା ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି।  ଶ୍ରୀନଗରର ନୌହଟ୍ଟା ଅଞ୍ଚଳରେ ଅବସ୍ଥିତ  ‘ଜୁଲାଇ ୧୩-୧୯୩୧ ସହିଦ କବରସ୍ଥାନ’କୁ ଯିବାକୁ ଏହି ନେତାମାନଙ୍କୁ ବାରଣ କରାଯାଇଛି ଏବଂ ଏହା କଡ଼ାକଡ଼ି ଭାବେ ଲାଗୁ ହୋଇଥିବା ଜଣାପଡ଼ିଛି।

Advertisment

ସହିଦ କବରସ୍ଥାନକୁ ଯିବାକୁ ବାରଣ
ପଦକ୍ଷେପକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ସୂଚନାଯୋଗ୍ୟ, ୧୯୩୧ ମସିହାରେ ମହାରାଜା ହରି ସିଂହଙ୍କ ଶାସନ କାଳରେ ଡୋଗରା ବାହିନୀ ଦ୍ୱାରା ନିହତ ହୋଇଥିବା ୨୨ ଜଣ କାଶ୍ମୀରବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ନେତାମାନେ ଯୋଜନା କରିଥିଲେ। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ସହିଦ ଦିବସକୁ ସରକାରୀ ଛୁଟି ତାଲିକାରୁ ହଟାଇ ଦିଆଯାଇଥିଲା। ବରିଷ୍ଠ ଏନ୍‌ସି ନେତା ତଥା ବିଧାୟକ ତନବୀର ସାଦିକ୍‌ ‘ଏକ୍ସ’ରେ କହିଛନ୍ତି ଯେ ଶନିବାର ରାତିରୁ ତାଙ୍କୁ ଏବଂ ଦଳର ଅନ୍ୟ ସଦସ୍ୟମାନଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଇତିହାସକୁ ଲୋପ କରିବା ଏବଂ ସହିଦମାନଙ୍କୁ ସମ୍ମାନ ଦେବା ପାଇଁ ଆମର ଅଧିକାରରୁ ବଞ୍ଚିତ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ପ୍ରୟାସ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପରାମର୍ଶଦାତା ନାସିର ଅସଲମ ୱାନି କହିଛନ୍ତି ଯେ ମନ୍ତ୍ରୀମାନଙ୍କୁ ମଧ୍ୟ ବାହାରକୁ ବାହାରିବାକୁ ଅନୁମତି ଦିଆଯାଉନାହିଁ।    ମୁଖ୍ୟମନ୍ତ୍ରୀ  ଏହି କଟକଣାକୁ ନିନ୍ଦା କରିବା ସହ ଏହା ଅଗଣତାନ୍ତ୍ରିକ ବୋଲି କହିଛନ୍ତି।     ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି।