ଭୟରେ କାଶ୍ମୀର ଛାଡ଼ୁଛନ୍ତି କାଶ୍ମୀର ପଣ୍ଡିତ

ଶ୍ରୀନଗର : କାଶ୍ମୀର‌ରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରି ନିକଟରେ ହତ୍ୟା ବଢ଼ିଥିବାରୁ ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟ ବଢ଼ିଛି। ଭୟରେ କାଶ୍ମୀର ପଣ୍ଡିତମାନେ ଏବେ ଭିଟାମାଟି ଛାଡ଼ି ଦେବାକୁ ବସିଛନ୍ତି। ପ୍ରାୟ ୧୨ରୁ ଅଧିକ କାଶ୍ମୀର ପଣ୍ଡିତ ଏବଂ ସେମାନଙ୍କ ପରିବାର ସଦସ୍ୟ ଶେଖପୁରା ଅଞ୍ଚଳ ଛାଡ଼ି ଦେଇଛନ୍ତି। ବଡ଼ଗାମ ଜିଲ୍ଲାରେ ଏହି ଅଞ୍ଚଳ ଅବସ୍ଥିତ। ୨୦୦୩ରେ ପଣ୍ଡିତମାନଙ୍କୁ ଫେରାଇ ଆଣି ଏଠାରେ ଆଶ୍ରୟ ଦିଆଯାଇଥିଲା। କିନ୍ତୁ ନିକଟ‌ରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରି ଯେଉଁଭଳି ଭାବେ ହତ୍ୟା ବଢ଼ିଛି ତାକୁ କାଶ୍ମୀର ପଣ୍ଡିତମାନେ ସହଜ‌ରେ ଗ୍ରହଣ କରିନାହାନ୍ତି। ଘରୁ ବାହାରକୁ ବାହାରି‌ଲେ ସେମାନଙ୍କୁ ଡର ଲାଗୁଛି। ତେଣୁ ଭୟରେ ରହିବା ଅପେକ୍ଷା ସେମାନେ କାଶ୍ମୀର ଉପତ୍ୟତା ଛାଡ଼ି ଦେବାପାଇଁ ଉଚିତ୍‌ ମନେ କରୁଛନ୍ତି। ଜଣେ ୫୧ ବର୍ଷୀୟ କାଶ୍ମୀର ପଣ୍ଡିତ କହିଛନ୍ତି, ୧୯୯୦ ଦଶକରେ ଅତି ଖରାପ୍‌ ସମୟରେ ବି ଆମେ କାଶ୍ମୀର ଉପତ୍ୟକା ଛାଡ଼ି ନଥିଲୁ। କିନ୍ତୁ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେ‌ଟ୍‌ କରି ହୋଇଥିବା ହତ୍ୟା ଆମକୁ ଏହି ସ୍ଥାନ ଛାଡ଼ିଦେବାପାଇଁ ବାଧ୍ୟ କରିଛି ବୋଲି ସେ କହିଛନ୍ତି। କାଶ୍ମୀର ପଣ୍ଡିତ ସଂଘର୍ଷ ସମିତି ସଭାପତି ସଂଜୟ ଟିକୁ କହିଛନ୍ତି, ପ୍ରାୟ ୫୦୦ରୁ ଅଧିକ ଲୋକ ବଡ଼ଗାମ, ଅନନ୍ତନାଗ, ଏବଂ ପୁଲୱାମା ଛାଡ଼ିବା ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର