ଶ୍ରୀନଗର: କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ବର୍ବରତା ବଢ଼ିଚାଲିଛି। ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ଲଗାତାର ହତ୍ୟା ଚାଲିଛି। ଏଭଳି ଟାର୍ଗେ‌ଟ୍‌ କିଲି କାଶ୍ମୀରରେ ସବୁଠି ଆତଙ୍କ ଖେଳାଇ ଦେଇଛି । ଆଜି ଆତଙ୍କବାଦୀମାନେ କୁଲଗାମ୍‌ରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ବ୍ୟାଙ୍କ୍‌ରେ ପଶି ହତ୍ୟା କରିବା ପରେ ହଜାର ହଜାର କାଶ୍ମୀର ପଣ୍ଡିତ ଶ୍ରୀନଗରରେ ଆନ୍ଦୋଳନ କରିଛନ୍ତି। କାଶ୍ମୀରରୁ ପୁଣି ପଳାୟନ ପାଇଁ କାଶ୍ମୀର ପଣ୍ଡିତମାନେ ନିଷ୍ପତ୍ତି ନେଇଛନ୍ତି। ପଣ୍ଡିତ ସମ୍ପ୍ରଦାୟର ଅଧିକାଂଶ ବିଶେଷ କରି ସରକାରୀ କର୍ମଚାରୀମାନେ କାଶ୍ମୀର ଛାଡ଼ି ଦେଉଛନ୍ତି ଏବଂ ଅନ୍ୟମାନେ କାଶ୍ମୀର ଛାଡ଼ି ଦେବାପାଇଁ ଧମକ ଦେଇଛନ୍ତି। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ରୋକିବାରେ ବ୍ୟର୍ଥ ହୋଇଥିବାରୁ ଘାଟିରେ ସ୍ଥିତି ଜଟିଳ ହୋଇପଡ଼ିଛି। ଆତଙ୍କବାଦୀମନେ ସୋମାନଙ୍କ ରଣନୀତି ବଦଳାଇ ଏବେ କେବଳ ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଶ୍ରୀନଗରରେ ୩ ସପ୍ତାହ ଧରି ଆନ୍ଦୋଳନର ନେତୃତ୍ବ ନେଇଥିବା ଅମିତ କୌଲ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥର ଏକ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି, ସେ ରମ୍ବନ ଜିଲ୍ଲାର ରମ୍‌ସୋ‌ ଅତିକ୍ରମ କରି ଆଜି ସନ୍ଧ୍ୟାରେ ଜମ୍ମୁ ପହଞ୍ଚିଛନ୍ତି। ତେବେ କାଶ୍ମୀର ପଣ୍ଡିତଙ୍କୁ ଅଟକାଇବାପାଇଁ କେନ୍ଦ୍ର ଶାସିତ ପ୍ରଶାସନ ବ୍ୟାରିକେଡ୍‌ ରଖିଛନ୍ତି ଏବଂ ଟ୍ରାନଜିଟ୍‌ କ୍ୟାମ୍ପ୍‌କୁ ତାଲା ପକାଇ ଦେଇଛନ୍ତି। ବଡ଼ଗାମରେ ଗତ ମାସରେ ତହସିଲ ଅଫିସ୍‌ରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା ପରଠାରୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟପକ୍ଷେ ବହୁ ସଂଖ୍ୟାରେ କାଶ୍ମୀର ପଣ୍ଡିତ ବିମାନରେ ଅନ୍ୟତ୍ର ପାଳଇ ଯାଉଥିବା ରିପୋର୍ଟକୁ ଶ୍ରୀନଗର ବିମାନବନ୍ଦର ପକ୍ଷରୁ ଖଣ୍ଡନ କରାଯାଇଛି।

Advertisment

publive-image

କେନ୍ଦ୍ର ୧୯୮୯ ତ୍ରୁଟିର ପୁନରାବୃତ୍ତି କରୁଛି: ଅୱେସୀ

ଶ୍ରୀନଗର: କାଶ୍ମୀରରେ ଟାର୍ଗେଟ୍‌ କିଲିଂ ବଢ଼ିବା ପ୍ରସଙ୍ଗରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସୀ ଆଜି ଅତି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ଅୱେସୀ କହିଛନ୍ତି, କେନ୍ଦ୍ର ସରକାର ୧୯୮୯ରେ ହୋଇଥିବା ଭୁଲ୍‌ର ପୁନରାବୃତ୍ତି କରୁଛନ୍ତି। ମୋଦୀ ସରକାର ଇତିହାସରୁ କୌଣସି ଶିକ୍ଷା ଗ୍ରହଣ କରିନାହାନ୍ତି ଏବଂ ୧୯୮୯ରେ ଯେଉଁ ଭୁଲ୍‌ ହୋଇଥିଲା ତାହାର ଏବେ ପୁନରାବୃତ୍ତି କରୁଛନ୍ତି। ୧୯୮୯ରେ ମଧ୍ୟ ରାଜନେତାମାନଙ୍କୁ କିଛି କହିବାପାଇଁ ବାରଣ କରାଯାଇଥିଲା। କେନ୍ଦ୍ର କାଶ୍ମୀର ପଣ୍ଡିତମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ନଦେଇ କେବଳ ନିର୍ବାଚନ ପ୍ରସଙ୍ଗରେ ମାମଲାକୁ ଦେଖୁଥିବା ଅୱେସୀ କହିଛନ୍ତି। ୧୯୮୭ ବିଧାନସଭା ନିର୍ବାଚନରେ ବଳପୂର୍ବକ ବୁଥ୍‌ ଦଖଲ ହୋଇଥିଲା ଏବଂ ୧୯୮୯ରେ ଏହାର ଫଳ ଦେଖିବାକୁ ମିଳିଥିଲା। ସ୍ଥାନୀୟ ରାଜନେତାଙ୍କୁ କିଛି କରିବାକୁ ସ୍ବାଧୀନତା ନଥିଲା ଏବଂ ଏହାଦ୍ବାରା କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଥିଲା। ୧୯୮୯ ସେପ୍ଟେମ୍ବରରେ କାଶ୍ମୀରରେ ଟାର୍ଗେଟ୍‌ କିଲିଂ ଆରମ୍ଭ ହୋଇଥିଲା ଏବଂ ଲୋକେ ଭିଟାମାଟି ଛାଡ଼ି ପଳାଇଥିଲେ। ବର୍ତ୍ତମାନର ଘଟଣା ମଧ୍ୟ ଗଣ ପଳାୟନ ସ୍ଥିତି ସୃଷ୍ଟି କରିଛି ବୋଲି ସେ କହିଛନ୍ତି।