ଶୋପିଆଁ: ଜମ୍ମୁ-କଶ୍ମୀରରେ ଜାରି ରହିଛି ଆତଙ୍କବାଦୀଙ୍କ ସିରିଜ୍ ଆକ୍ରମଣ। କିଛି ସମୟ ପୂର୍ବରୁ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରାଯାଇଥିବା ବେଳ ଏବେ ଶୋପିଆଁରେ କଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିମାଡ଼ ପରେ କଶ୍ମୀର ପଣ୍ଡିତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୋପିଆଁ ଜିଲ୍ଲାର ‌ଛୋଟଗାମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଆହତଜଣକ ସୋନୁ କୁମାର ବାଲଜୀ ବୋଲି ଜଣାପଡ଼ିଛି।

Advertisment

ଏହା ପୂର୍ବରୁ ପୁଲୱାମାରେ ଦୁଇ ଜଣ ବିହାରୀ ଶ୍ରମିକଙ୍କୁ ଆକ୍ରମଣ କରିବା ସହ ଦୁଇ ଜଣ ସିଆରପିଏଫ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ। ଆହତ ସିଆରପିଏଫ ଯବାନଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍‌ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।

ନିର୍ଦ୍ଦିିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ବାନ୍ଦିପୋରାର ଆଷ୍ଟଙ୍ଗୋ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ପାଇଥିଲେ। ଏହି ତିନିଜଣଙ୍କ ନାମ ଇରଫାନ ଅହମ୍ମଦ ଭଟ୍ଟ, ସଜାଦ ଅହମ୍ମଦ ମୀର ଏବଂ ଇରଫାନ ଅହମ୍ମଦ ଜାନ ବୋଲି ଚିହ୍ନଟ କରାଯାଇଛି।

ଅନ୍ୟ ଏକ ଘଟଣାରେ ଏହି ସମୟରେ ସୁରକ୍ଷା ବାହିନୀ ଯବାନମାନେ ରଖହାଜିନର ଏକ ଚେକପୋଷ୍ଟରେ ଜଣେ ଆତଙ୍କବାଦୀ ସହଯୋଗୀକୁ ଗିରଫ କରିଥିଲେ। ଗିରଫ ଆତଙ୍କବାଦୀ ସହଯୋଗୀ ଜଣକ ଇରଫାନ ଅଜିଜ ଭଟ୍ଟ ବୋଲି ଚିହ୍ନଟ କରାଯାଇଥିଲା। ତା ନିକଟରୁ ଏକ ଚାଇନା ନିର୍ମିତ ଗ୍ରେନେଡ୍‌ ମଧ୍ୟ ଉଦ୍ଧାର କରାଯାଇଥିଲା।