ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ତାଙ୍କ ବାସଭବନ ବାହାର ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଚୌଦ୍ରିଗୁଣ୍ଡନିବାସୀ କଶ୍ମୀରୀ ପଣ୍ଡିତ ପୂରଣ କ୍ରିଷନ୍ ଭଟ୍ଟ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ଶୋପିଆଁ ଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଫଳ ବଗିଚାକୁ ଯାଉଥିବା ପୂରଣଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।
ନିରାପତ୍ତା ବଳ ତାଙ୍କ ଗାଆଁକୁ କର୍ଡନ୍ କରି ଆତତାୟୀମାନଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି।
ଅନ୍ୟ ଏକ ଘଟଣାରେ ଆତଙ୍କବାଦ କାର୍ଯ୍ୟକଳାପ ଦମନ କରିବା ଲାଗି, ଆତଙ୍କବାଦୀଙ୍କ ସହିତ ସମ୍ପର୍କ, ‘ନାକ୍ରୋ-ଟେରର୍ ସିଣ୍ଡିକେଟ୍’ ଚଳାଇବା ଏବଂ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ନିଷିଦ୍ଧ ସଙ୍ଗଠନକୁ ସାହାଯ୍ୟ କରିଥିବା କାରଣରୁ ଜମ୍ମୁ ଓ କଶ୍ମୀରର ୫ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସମ୍ବିଧାନରେ ପ୍ରଦତ୍ତ ଧାରା ୩୧୧(୨)(ସି) ଅନୁସାରେ ଉକ୍ତ ସରକାରୀ କର୍ମଚାରୀମାନେ ବହିଷ୍କୃତ ହୋଇଛନ୍ତି। ସେମାନେ ହେଉଛନ୍ତି, କନେଷ୍ଟବଳ ତନବୀର ସଲୀମ୍ ଦାର୍, ଆଫ୍କ ଅହମଦ୍ ୱାନି, ଇଫ୍ତିଖର୍ ଆନ୍ଦ୍ରାବି, ଇର୍ଶାଦ୍ ଖାଁ ଏବଂ ଅବ୍ଦୁଲ୍ ମୋମିନ୍ ପୀର।