କଶ୍ମୀର ପଣ୍ଡିତଙ୍କ ପାଇଁ ଫିଲ୍ମ ନୁହେଁ, ଥଇଥାନର ଆବଶ୍ୟକତା ଜରୁରୀ: କେଜ୍ରିୱାଲ

କିଛି ଦିନ ହେଲା ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ଟିକସମୁକ୍ତ କରିବା ବି ଦାବି ଉଠିଛି। ଚଳଚ୍ଚିତ୍ରକୁ ନେଇ ବିଜେପି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାରୁ ଆମ ଆଦମୀ ପାର୍ଟି(ଆପ୍)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଦଳ ସହିତ ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଆକ୍ଷେପ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, କଶ୍ମୀର ପଣ୍ଡିତଙ୍କ ପାଇଁ ଫିଲ୍ମ ଯେତିକି ଜରୁରୀ ନୁହେଁ ଥଇଥାନ କରିବା ଆବଶ୍ୟକତା ତା’ଠାରୁ ଅଧିକ ଜରୁରୀ, ଯାହାକି ସେମାନଙ୍କ ଜୀବନଜୀବିକା ପାଇଁ ଗୁରୁତ୍ବପୂର୍ଣ୍ଣ।

‘ଦ କଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରିବା ପାଇଁ ଦାବି କରାଯାଉଛି। ଏହି ଦାବି ଅମୂଳକ। ଏହି ଚଳଚ୍ଚିତ୍ରର ଯଦିଓ ମହତ୍ବ ରହିଛି ୟୁଟ୍ୟୁବରେ ଅପଲୋଡ୍ କରାଯିବା ଉଚିତ, ଯାହା ଦ୍ବାରା ସମସ୍ତେ ଏହାକୁ ସହଜରେ ଦେଖିପାରିବେ। ଏହା ସହ ବିଜେପି ନେତାମାନେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ପୋଷ୍ଟର ଲଗାଉଛନ୍ତି। ଏଭଳି କରାଯିବା ଉଚିତ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

ସେ କହିଛନ୍ତି ଯେ, କଶ୍ମୀରରେ ଏକ ବଡ଼ ଦୁଃଖଦ ଘଟଣା ଘଟିଥିଲା। ଏହାକୁ ୩୨ବର୍ଷ ବିତି ଯାଇଛି। ୩୨ ବର୍ଷ ଧରି ନିର୍ଯାତିତ କଶ୍ମୀର ପଣ୍ଡିତମାନଙ୍କ ପ୍ରତି କୌଣସି ସରକାରଙ୍କ ଦୃଷ୍ଟି ପଡ଼ିଲା ନାହିଁ। ଏବେ ସରକାର କଶ୍ମୀରୀ ପଣ୍ଡିତମାନଙ୍କୁ କହୁଛନ୍ତି ଯେ ଆମେ ଆପଣଙ୍କ ପାଇଁ ଏକ ଚଳଚ୍ଚିତ୍ର ନିର୍ମାଣ କରିଛୁ। ତେବେ ଚଳଚ୍ଚିତ୍ର ନିର୍ମାଣ କରିଦେଲେ ନିର୍ଯ୍ୟାତିତ କଶ୍ମୀର ପଣ୍ଡିତମାନଙ୍କ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବରଂ ସେମାନଙ୍କୁ ଥଇଥାନର ଆବଶ୍ୟକତା ରହିଛି। ଯେକୌଣସି କଶ୍ମୀରୀ ପଣ୍ଡିତଙ୍କୁ ପଚାରିଲେ ସେମାନେ ଥଇଥାନର କଥା କହିବେ। ତେଣୁ ସେମାନଙ୍କ ଜୀବନଜୀବିକାର ସମାଧାନ ପାଇଁ ଥଇଥାନ ହିଁ ଜରୁରୀ। ଗତ ୮ବର୍ଷ ଧରି ବିଜେପି ସରକାର କ୍ଷମତାରେ ଅଛି। କାହିଁକି ସେମାନେ ଏପର୍ଯ୍ୟନ୍ତ କଶ୍ମୀରୀ ପଣ୍ଡିତଙ୍କୁ ଥଇଥାନ କରିନାହାଁନ୍ତି?

କଶ୍ମୀରୀ ପଣ୍ଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆପ ସରକାରଙ୍କ ଉଦ୍ୟମ ବିଷୟରେ ପଚରାଯିବାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ଦିଲ୍ଲୀ ଆସିଥିବା ସମସ୍ତ କଶ୍ମୀରୀ ପଣ୍ଡିତଙ୍କ ପାଇଁ ଆମେ ଯାହା କରିବା ଦରକାର ଥିଲା ତାହା କରିଛୁ। ୧୯୯୩ରେ ସେମାନେ ଏଠାକୁ ଆସି ଚୁକ୍ତିଭିତ୍ତିକ ଶିକ୍ଷକ ଭାବରେ ଚାକିରି କଲେ। ସେବେଠାରୁ ସେମାନେ ଅସ୍ଥାୟୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ଏହା ମଧ୍ୟରେ ବିଜେପି କ୍ଷମତାକୁ ଆସିଲା, କଂଗ୍ରେସ କ୍ଷମତାକୁ ଆସିଲା, ସେମାନଙ୍କ ମଧ୍ୟରୁ କେହି ଏହି ଅସ୍ଥାୟୀ ଶିକ୍ଷକମାନଙ୍କୁ ସ୍ଥାୟୀ କରି ନଥିଲେ। ଆମେ ଏହି ଶିକ୍ଷକମାନଙ୍କୁ ସ୍ଥାୟୀ କରିଛୁ। କଶ୍ମୀର ପଣ୍ଡିତମାନଙ୍କ ଦୁଃଖକୁ ନେଇ ମୁଁ କେବେ ବି ରାଜନୀତି କରିନାହିଁ କି କରିବି ନାହିଁ।

ଯେତେବେଳେ ‘ଦ କଶ୍ମୀର ଫାଇଲ୍ସ’କୁ ଟିକସମୁକ୍ତ ନକରିବା ନିଷ୍ପତ୍ତି ବିଷୟରେ ପଚରାଗଲା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ, ମୋ ପାଇଁ ଫିଲ୍ମ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ସମ୍ବନ୍ଧିତ ଖବର