ଶ୍ରୀନଗର: ବୁଧବାର ରାତି ୧୦.୩୫ରେ ଶ୍ରୀନଗର ଅନ୍ତର୍ଗତ ହାଇଦରପଡ଼ା ବାସଭବନରେ କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ସୈୟଦ୍‌ ଅଲି ଶାହ ଗିଲାନୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ସେ ୯୧ ବର୍ଷ ବୟସ‌ରେ ଉପନୀତ ହୋଇଥିଲେ।

Advertisment

ଗତ ଅଳ୍ପ କିଛି ବର୍ଷ ହେବ ଅସୁସ୍ଥତା ହେତୁ ସେ ସର୍ବସାଧାରଣରେ ଦେଖା ଦେଉ ନ ଥିଲେ। ତାଙ୍କୁ ଶ୍ରୀନଗରର ହାଇଦରପଡ଼ାରେ କବର ଦେବା ପାଇଁ ତାଙ୍କ ପରିବାରବର୍ଗ ଚାହୁଁଛନ୍ତି। ଦୁଇଟି ପୁଅ ଓ ଗୋଟିଏ ଝିଅକୁ ମିଶାଇ ତାଙ୍କର ତିନିଜଣ ସନ୍ତାନସନ୍ତତି ଅଛନ୍ତି।

ଗିଲାନୀଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ କଶ୍ମୀରରେ ନିରାପତ୍ତା କଟକଣା କଠୋର କରାଯାଇଛି ବୋଲି ବାସିନ୍ଦାମାନେ କହୁଛନ୍ତି।

୧୯୨୯, ସେପ୍ଟେମ୍ବର ୨୯ରେ ଜନ୍ମିତ ସୈୟଦ୍‌ ଅଲି ଶାହ ଗିଲାନୀ ଭାରତୀୟ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଥିଲେ ଜଣେ କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା।

ପୂର୍ବରୁ ସେ ‘ଜମାତ୍‌-ଏ-ଇସ୍‌ଲାମୀ କଶ୍ମୀର’ର ସଦସ୍ୟ ଥିଲେ ଏବଂ ପରେ ଜମ୍ମୁ ଓ କଶ୍ମୀରରେ ବିଚ୍ଛିନ୍ନତାବାଦୀ ସମର୍ଥକମାନଙ୍କୁ ଏକତ୍ର କରି ‘ତେହ୍‌ରିକ୍‌-ଏ-ହୁରିୟତ୍’ ନାମରେ ଗୋଟାଏ ସଙ୍ଗଠନ ସ୍ଥାପନ କରିଥିଲେ। ୨୦୨୦ ଜୁନ୍‌ରେ ସେ ‘ହୁରିୟତ୍‌’ ପରିତ୍ୟାଗ କରିଥିଲେ।

publive-image Image Courtesy of India Today

ଏହା ବ୍ୟତିରେକେ, ୧୯୭୨, ୧୯୭୭ ଏବଂ ୧୯୮୭ରେ ସେ ଜମ୍ମୁ ଓ କଶ୍ମୀରର ସୋପୋର୍‌ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୦ରେ ଗିଲାନିଙ୍କୁ ବିଦ୍ରୋହୀ ସାବ୍ୟସ୍ତ କରାଯିବା ହେତୁ ସେବେଠାରୁ ଅଧିକାଂଶ ସମୟ ସେ ଗୃହବନ୍ଦୀ ଭାବେ ରହିଥିଲେ। ଜମ୍ମୁ ଓ କଶ୍ମୀର ପାଇଁ ଗିଲାନୀ ‘ରେଫରେଣ୍ଡମ୍‌’ (ପ୍ରତ୍ୟକ୍ଷ ଭୋଟ୍‌) ଏବଂ କଶ୍ମୀର ସମସ୍ୟା ପାଇଁ ଶାନ୍ତିପୂର୍ଣ୍ଣ ପ୍ରସ୍ତାବନା ଲାଗି ଦାବି କରୁଥିଲେ। କିନ୍ତୁ, ସଦାସର୍ବଦା ସେ ଆତଙ୍କବାଦୀଙ୍କୁ ପ୍ରଶଂସା କରୁଥିବାରୁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏବଂ ଆର୍ଥିକ ଦୁର୍ନୀତି ସଂକ୍ରାନ୍ତ ମାମଲାଗୁଡ଼ିକରେ ତାଙ୍କର ନାଁ ଦେଖିବାକୁ ମିଳୁଥିଲା।

୨୦୨୦ରେ ସୈୟଦ୍‌ ଅଲି ଶାହ ଗିଲାନୀଙ୍କୁ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନିଶାନ୍‌-ଏ-ପାକିସ୍ତାନ’ରେ ଭୂଷିତ କରାଯାଇଥିଲା।

ତାଙ୍କ ମୃତ୍ୟୁ ଖବର ପାଇ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଟୁଇଟ୍‌ କରି ଶୋକବ୍ୟକ୍ତ କରିଛନ୍ତି।