ରାଞ୍ଚିରେ ୪ କଶ୍ମୀର ଯୁବକଙ୍କୁ ମାଡ଼: ସହର ଛାଡିବାକୁ ଧମକ ଦେବା ସହ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ରାଞ୍ଚିର ଡୋରଣ୍ଡା ଥାନା ଅଞ୍ଚଳରେ ୪ ଜଣ କଶ୍ମୀର ଯୁବକଙ୍କୁ ମାଡ । ଅସ୍ତ୍ରଶସ୍ତ୍ର ସାହାଯ୍ୟରେ କିଛି ସ୍ଥାନୀୟ ଲୋକ ୪ ଜଣ କଶ୍ମୀର ଯୁବକଙ୍କୁ ମାଡ ମାରିବା ସହ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଲଗାଇବାକୁ ବାଧ୍ୟ କରିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଚେଷ୍ଟା କରୁଥିବା ବେଳେ ୪ ଜଣ କଶ୍ମୀର ଯୁବକ ଏବେ ଆକ୍ରମଣ ଭୟରେ ଦିନ କାଟୁଥିବା ଜଣାପଡ଼ିଛି।

ସୂଚନା ମୁତାବକ, ରାଞ୍ଚିର ହାତୀଖାନାରେ ରହୁଥିବା ୪ ଜଣ କଶ୍ମୀର ଯୁବକଙ୍କ ସହ ସ୍ଥାନୀୟ ଲୋକ ମାରପିଟ୍ କରିଥିଲେ । ଏହାସହ ସେମାନଙ୍କୁ ତୁରନ୍ତ ସହର ଛାଡିବାକୁ ଧମକ ଦେବା ସହ ବାଧ୍ୟ କରି ପାକିସ୍ତାନ ମୁର୍ଦ୍ଦାବାଦ ନାରା ଲଗାଇଥିଲେ । ଏହି ଘଟଣା ପରେ ଯୁବକମାନେ ଭୟଭୀତ ହୋଇ ପୁଲିସର ଆଶ୍ରୟ ନେଇଛନ୍ତି ।

ପୀଡିତ ବିଲାଲ ଅହମ୍ମଦ କହିଛନ୍ତି ଯେ, ୨୦ ବର୍ଷ ଧରି ସେ ଡୋରଣ୍ଡା ଅଞ୍ଚଳରେ ଘର ଭଡା ନେଇ ରହୁଛନ୍ତି । ଶୀତ ଋତୁରେ କଶ୍ମୀରରୁ ଶାଢ଼ୀ ଆଣି ଏଠାରେ ବ୍ୟବସାୟ କରିଥାନ୍ତି । ହେଲେ କିଛିଦିନ ହେବ କିଛି ସ୍ଥାନୀୟ ଲୋକ ତାଙ୍କ ପ୍ରତି ଖରାପ ବ୍ୟବହାର କରୁଛନ୍ତି । ଏହାସହ ତାଙ୍କୁ ଧମକ ଦେଇ ଅନେକ ଥର ମାରପିଟ୍ କରିଛନ୍ତି ।

ପୀଡିତ ଯୁବକମାନେ ପୁଲିସକୁ କହିଛନ୍ତି ଯେ, ଗୁରୁବାର ଦିନ ସୋନୁ ନାମକ ଜଣେ ଯୁବକ ଅସ୍ତ୍ରଶସ୍ତ୍ର ସହ ତାଙ୍କ ଉପରେ ଆକ୍ରମଣ କରିଥିଲା । ଏହାସହ ତାଙ୍କୁ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଲଗାଇବାକୁ ବାଧ୍ୟ କରିଥିଲା । ଅନ୍ୟପଟେ ଏଭଳି ଘଟଣାରେ କିଛି ସ୍ଥାନୀୟ ଲୋକ ତାଙ୍କୁ ସୋନୁଠାରୁ ରକ୍ଷା କରିଥିବା କଥା ବି ପୀଡିତ ଯୁବକମାନେ ପୁଲିସକୁ କହିଛନ୍ତି । ଥାନା ପ୍ରଭାରୀ ରମେଶ କୁମାର ସିଂ କହିଛନ୍ତି ଯେ, କଶ୍ମୀର ଯୁବକଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପ୍ରୟାସ କରୁଛି ।

ସମ୍ବନ୍ଧିତ ଖବର