ଜମ୍ମୁ-କଶ୍ମୀରର ନୂଆ ଚିତ୍ର

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବ ଏବଂ ସେଠାରେ ବିଧାନସଭା ଆସନ ସଂଖ୍ୟା ୧୦୭ ରହିବ। ସୀମା ପୁନନିର୍ଦ୍ଧାରଣ ପରେ ବିଧାନସଭା ଆସନ ସଂଖ୍ୟା ୭ଟି ବୃଦ୍ଧି ଘଟି ୧୧୪ରେ ପହଞ୍ଚିବ। ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ‌ଜମ୍ମୁ କଶ୍ମୀରରେ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିବେ। ବର୍ତ୍ତମାନ ଜମ୍ମୁ କଶ୍ମୀର ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୮୭ ରହିଛି। ଏଥିରେ ଲଦାଖର ୪ଟି ବିଧାନସଭା ଆସନ ରହିଛି। ତେବେ ପାକ୍ ଅଧୀକୃତ କଶ୍ମୀର ଅଧୀନରେ ଥିବା ଅଞ୍ଚଳ ପାଇଁ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭାରେ ୨୪ଟି ଆସନ ପୂର୍ବପରି ଖାଲି ରହିବ। ଲଦାଖ ପୃଥକ୍ କେନ୍ଦ୍ର ଶାସିତ ଅଞ୍ଚଳ ହେଲେ ମଧ୍ୟ ଏହାର ବିଧାନସଭା ରହିବ ନାହିଁ। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳଟି କାର୍ଗିଲ ଏବଂ ଲେହ ଜିଲ୍ଲାକୁ ନେଇ ଗଠନ ‌ହେବ। ଜମ୍ମୁ କଶ୍ମୀରରେ ଏକ ମନ୍ତ୍ରିମଣ୍ଡଳ ରହିବ। ଏହି ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ମୁଖ୍ୟମନ୍ତ୍ରୀଙ୍କୁ ‌ମିଶାଇ ମୋଟ ବିଧାନସଭା ଆସନର ୧୦%ରୁ ଅଧିକ ହେବ ନାହିଁ। ବିଧାନସଭାରେ ଆସନ ସଂରକ୍ଷଣ ମଧ୍ୟ ସମ୍ବିଧାନ ଅନୁସାରେ‌ ଏସ୍‌ସି, ଏସଟି ବର୍ଗର ଲୋକଙ୍କ ପାଇଁ ରହିବ। ଲୋକସଭାରେ ଜମ୍ମୁ କଶ୍ମୀରରୁ ୫ ଜଣ ଏବଂ ଲଦାଖରୁ ଜଣେ ସଦସ୍ୟ ରହିବେ। ବିଧାନସଭାରେ ଉପଯୁକ୍ତ ସଂଖ୍ୟକ ମହିଳାଙ୍କୁ ପ୍ରତିନିଧିତ୍ବ ନମିଳିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦୁଇ ଜଣ ମହିଳାଙ୍କୁ ବିଧାନସଭାକୁ ମନୋନୀତ କରିପାରିବେ।

ସମ୍ବନ୍ଧିତ ଖବର