ପୁଣି ପରମାଣୁ ଯୁଦ୍ଧ ଇସାରା ଦେଲେ ଇମ୍ରାନ, ବିଶ୍ବ ଉଦାସୀନ ରହିଲେ ପ୍ରଳୟ ଆସିବ

‘କଶ୍ମୀରୀ ଆୱାର୍‌’ରେ ଯୁଦ୍ଧ ଉନ୍ମାଦନା

ଇସ୍‌ଲାମାବାଦ: କଶ୍ମୀରକୁ ନେଇ ଭାରତ ବିରୋଧରେ ଅପପ୍ରଚାର ଚଳାଇଥିବା ପାକିସ୍ତାନ ଆଜି ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ‘କଶ୍ମୀରୀ ଆୱାର’ ପାଳନ କରିଛି। କଶ୍ମୀରୀ ବାସିନ୍ଦାଙ୍କ ପାଇଁ ଏକତା ଦେଖାଇବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଆହ୍ବାନକ୍ରମେ ପାଳନ ହୋଇଥିବା ‘କଶ୍ମୀରୀ ଆୱାର’ରେ ସମଗ୍ର ପାକିସ୍ତାନରେ ଭାରତ ବିରୋଧୀ ବିକ୍ଷୋଭ ଆୟୋଜନ ହୋଇଥିଲା। ଭାରତ ସରକାରଙ୍କ ଦ୍ବାରା ଧାରା ୩୭୦ ହଟାଯିବାକୁ ବିରୋଧ କରି ସବୁଠି ଯୁଦ୍ଧ ଉନ୍ମାଦନା ଦେଖିବାକୁ ମିଳିଥିଲା। କଶ୍ମୀରୀ ମାମଲାରେ ଭାରତ ସହିତ ଆଉ ଆଲୋଚନା ନକରି ସିଧାସଳଖ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ବିଭିନ୍ନ ସଂଗଠନ ଆହ୍ବାନ ଦେଇଛନ୍ତି। ‘କଶ୍ମୀରୀ ଆୱାର’ ପାଳନ ଅବସରରେ ଇମ୍ରାନ ପୁଣି ଥରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି, ସେ କହିଛନ୍ତି, ବିଶ୍ବ ଜାଣିରଖିବା ଉଚିତ ଯେ ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଯୁଦ୍ଧରେ ଉପନୀତ ହେଲେ ପ୍ରଳୟ ଆସିବ ଏବଂ ଏଥିରୁ ବିଶ୍ବ ବର୍ତ୍ତିପାରିବ ନାହିଁ। ଏହି ମାମଲାରେ ବିଶ୍ବ ସମୁଦାୟର ଉଦାସୀନତା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହା ସହିତ ଆଜି ଇମ୍ରାନ ସାଂପ୍ରଦାୟିକ କାର୍ଡ ଖେଳିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଇମ୍ରାନ୍‌ କହିଛନ୍ତି, କଶ୍ମୀର ବାସିନ୍ଦା ମୁସ୍‌ଲିମ ହୋଇନଥିଲେ ଏହି ପ୍ରସଙ୍ଗରେ ଆମକୁ ବିଶ୍ବବ୍ୟାପୀ ସମର୍ଥନ ମିଳିଥାନ୍ତି। କେବଳ ମୁସ୍‌ଲିମ ହୋଇଥିବାରୁ ଆମକୁ ବିଶ୍ବ ସମୁଦାୟର ସମର୍ଥନ ହାସଲ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି। ଧର୍ମ ଏଥିରେ ଅନ୍ୟତମ ବଡ଼ କାରଣ ଭାବେ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର