୩୭୦ ଉଚ୍ଛେଦ ପରେ ସାରା ଦେଶ କଶ୍ମୀରମନସ୍କ : ୨୪ ଘଣ୍ଟାରେ ଉଭୟ ଗୃହରେ ଲାଗିଲା ମୋହର

ଆଶା, ଆଶଙ୍କାରେ କଶ୍ମୀର, ପରିସ୍ଥିତି ସ୍ବାଭାବିକ ହେଲେ ମିଳିବ ରାଜ୍ୟପାହ୍ୟା: ଶାହ

ନୂଆଦିଲ୍ଲୀ: ସଂସଦଠୁ ନେଇ ସହର, ଗଣମାଧ୍ୟମଠୁ ନେଇ ଗ‌ାଁ, ସବୁଠି ଏବେ କଶ୍ମୀର ଚର୍ଚ୍ଚା। ରାଜ‌େନୖତିକ ଦଳଠୁ ନେଇ ସାଧାରଣ ଜନତା ଯାଏ ସମସ୍ତେ ସାମିଲ ହୋଇଛନ୍ତି ଏହି ଚର୍ଚ୍ଚାରେ। କେନ୍ଦ୍ର ସରକାର ଅଚାନକ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଦେବା ପରେ ସାରାଦେଶ କଶ୍ମୀରମନସ୍କ ହୋଇ ଉଠିଛି। ସୋସିଆଲ ମିଡିଆରେ ମଧ୍ୟ ମତ ବିନିମୟ ଓ ବିତର୍କର ମୁଖ୍ୟ ପ୍ରସଙ୍ଗ ପାଲଟିଛି କଶ୍ମୀର। ଆଉ କଶ୍ମୀରକୁ ନେଇ କେଉଁଠି ଆଶା ତ ଆଉ କେଉଁଠି ଆଶଙ୍କା ସୃଷ୍ଟି ହୋଇଛି।

Times of India

ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବେ ଇତିହାସ ପାଲଟି ଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସଂସଦର ଉଭୟ ଗୃହ ଅନୁମୋଦନ ପ୍ରଦାନ କରିଛି। ଗତକାଲି ରାଜ୍ୟସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ୨୪ ଘଣ୍ଟା ନ ପୂରୁଣୁ ଆଜି ଲୋକସଭା ମଧ୍ୟ ଏହାକୁ ଅନୁମୋଦନ ପ୍ରଦାନ କରିଛି। ଜମ୍ମୁ-କଶ୍ମୀରକୁ ନେଇ ଆଜି ଲୋକସଭାରେ ଦୁଇଟି ପ୍ରସ୍ତାବ ଓ ବିଲ୍ ଆଗତ କରାଯାଇଥିଲା ଏବଂ ଉଭୟ ଗୃହୀତ ହୋଇଛି। ୩୭୦ ଉଚ୍ଛେଦ ସଂକ୍ରାନ୍ତ ପ୍ରସ୍ତାବକୁ ୩୫୧ ଜଣ ସମର୍ଥନ କରିଥିବା ବେଳେ ୭୨ ଜଣ ବିରୋଧ କରିଥିଲେ। ସେହିଭଳି ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ପାଇଁ ଆଗତ ବିଲ୍‌କୁ ୩୭୦ ଜଣ ସମର୍ଥନ କରିଥିବା ବେଳେ ୭୦ ଜଣ ଏହା ବିରୋଧରେ ଭୋଟ୍ ଦେଇଛନ୍ତି।

ଏହି ଦୁଇଟି ନିଷ୍ପତ୍ତିକୁ ସ୍ବାଗତ କରି ପ୍ରଧାନମନ୍ତ୍ରୀ ନେରନ୍ଦ୍ର‌ ମୋଦୀ କହିଛନ୍ତି ଯେ ୩୭୦ ଉଚ୍ଛେଦ ହେବା ଦ୍ବାରା ରାଜ୍ୟବାସୀ ଦୀର୍ଘଦିନର ଯନ୍ତ୍ରଣାରୁ ମୁକ୍ତ ହୋଇଛନ୍ତି। ସେହିଭଳି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାଜ୍ୟରେ ପରିସ୍ଥିତି ସ୍ବାଭାବିକ ହେଲା ପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରାଯିବ। କିନ୍ତୁ ଏହି ସମୟ କେବେ ଆସିବ ସେ ସଂପର୍କରେ କିଛି କହିନଥିଲେ। ଲୋକସଭାରେ ଏ ସଂପର୍କରେ ‌ସରଗରମ ଆଲୋଚନା ଚାଲିଥିବା ବେଳେ ଶାହ କହିଥିଲେ‌ ଯେ ୩୭୦ ଧାରା ଭାରତ ପାଇଁ କଳଙ୍କ ଥିଲା। ଏହା କଶ୍ମୀରକୁ ଭାରତଠାରୁ ଅଲଗା କରି ରଖିଥିଲା। ଏହାଦ୍ବାରା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। ଏବେ ଏହି କଳଙ୍କକୁ ହଟାଇ ଦିଆଯାଇଛି। ରାଜ୍ୟ‌େରେ ଏବେ ଶାନ୍ତି ଓ ବିକାଶର ଯୁଗ ଆରମ୍ଭ ହେବ। ଏହା ସହିତ ସେ ସ୍ପଷ୍ଟ କରିଦେଇଥିଲେ ଯେ ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟତ ନେତାମାନଙ୍କ ସହିତ ଆଉ କଥାବାର୍ତା କରାଯିବ ନାହିଁ। ସେ କହିଲେ ଯେ ୩୭୦ ଯୋଗୁଁ ୧୯୮୯ରୁ ବର୍ତମାନ ପର୍ଯ୍ୟନ୍ତ ୪୧ ହଜାର ୫୦୦ ସ୍ଥାନୀୟ ନାଗରିକ ପ୍ରାଣ ହରାଇଛନ୍ତି। କଶ୍ମୀର ଲୋକ ହେଉଛନ୍ତି ଆମ ଲୋକ ଏବଂ ସେମାନଙ୍କ ସହିତ ଆମେ କଥାବାର୍ତା କରିବାକୁ ପ୍ରସ୍ତୁତ। ପାକିସ୍ତାନ ଅଧିକୃତ କଶ୍ମୀରକୁ ମୁକ୍ତ କରିବା ଲାଗି ସଂଗ୍ରାମ ଜାରି ରହିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର