ସୁପ୍ରିମ୍‌ କୋର୍ଟରେ କଶ୍ମୀର ମାମଲା: କଟକଣା ହଟିବ ନାହିଁ

ସରକାରଙ୍କୁ ଅଧିକ ସମୟ ଦିଆଯିବା ଉଚିତ, ୨ ସପ୍ତାହ ପରେ ପୁଣି ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଯିବା ପରେ ସେଠାରେ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା କଟକଣା ନେଇ କୌଣସି ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌ କୋର୍ଟ ଆଜି ମନା କରିଦେଇଛନ୍ତି। ରାଜ୍ୟର ସ୍ଥିତି ଏବେ ସମ୍ବେଦନଶୀଳ ଥିବାରୁ ସରକାରଙ୍କ ଉପରେ ଭରସା ରଖାଯିବା ଆବଶ୍ୟକ ଏବଂ ଏହି ମାମଲାରେ ସରକାରଙ୍କୁ ଅଧିକ ସମୟ ମଧ୍ୟ ମିଳିବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟର ସ୍ଥିତି ସ୍ବାଭାବିକ କରିବା ପାଇଁ ସରକାରଙ୍କୁ ଅଧିକ ସମୟ ଲୋଡ଼ା ଏବଂ ଏହା ରାତାରାତି ବଦଳିଯିବା ମାମଲା ନୁହଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସହିତ ଏହି ମାମଲାରେ ଦୁଇ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ଆବେଦନକାରୀ ରାଜନୈତିକ କାର୍ଯ୍ୟକର୍ତ୍ତା ତହସୀନ ପୁନାୱାଲା ତୁରନ୍ତ କର୍ଫ୍ୟୁ ହଟାଯିବାକୁ ନେଇ ଯୁକ୍ତି ଦର୍ଶାଇଥିବାରୁ କୋର୍ଟ ତାଙ୍କୁ ପଚାରିଥିଲେ, ଯଦି ଜମ୍ମୁ କଶ୍ମୀରରେ କିଛି ବଡ଼ ଅଘଟଣ ଘଟିଯିବ ତା’ହେଲେ କାହାକୁ ଦାୟୀ କରାଯିବ। ସରକାର ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରିଥିବାରୁ ଏବେ ସୁଦ୍ଧା କୌଣସି ଜୀବନହାନି ହୋଇନାହିଁ। ତେଣୁ ସରକାରଙ୍କ ପଦକ୍ଷେପ ଉପରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ। ତେବେ କଶ୍ମୀରରେ ଜାରି ରହିଥିବା କଟକଣା ଆଉ କେତେଦିନ ଜାରି ରହିବ ଏବଂ ସେଠାରେ ବର୍ତ୍ତମାନର ସ୍ଥିତି କ’ଣ ବୋଲି ଆଜି ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଏମ୍‌ ଆର୍‌ ଶାହ ଏବଂ ଜଷ୍ଟିସ୍‌ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ ପ୍ରଶ୍ନ କରିଥିଲେ। ବେଣୁଗୋପାଳ କହିଥିଲେ ଯେ ସ୍ଥିତି ସ୍ବାଭାବିକ ହେବାମାତ୍ରେ କଟକଣା ହଟିବ ଏବଂ ପରିସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯିବ। ବାସ୍ତବ ସ୍ଥିତି ନେଇ ପ୍ରତିଦିନ ଆକଳନ କରାଯାଉଛି ଏବଂ ସେହି ଆଧାରରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ୨୦୧୬ରେ ଆତଙ୍କବାଦୀ ବୁରହନ ୱାନିକୁ ନିପାତ କରାଯିବା ପରେ କଶ୍ମୀରରେ ବ୍ୟାପକ ହିଂସା ହୋଇଥିଲା ଏବଂ ପ୍ରାୟ ୮୦ ଦିନ ଧରି କର୍ଫ୍ୟୁ ଜାରି ହୋଇଥିଲା। ବର୍ତ୍ତମାନର ସ୍ଥିତିରେ ପରିବର୍ତ୍ତନ ଆସିବା ପାଇଁ ଆଉ କିଛିଦିନ ଲାଗିବ ବୋଲି ବେଣୁଗୋପାଳ କହିଥିଲେ।

ସମ୍ବନ୍ଧିତ ଖବର