କଶ୍ମୀରରେ ଇଦ୍ ପାଇଁ ପ୍ରସ୍ତୁତି

ଶ୍ରୀନଗର : ଇଦ୍‌ ପରିପ୍ରେକ୍ଷୀରେ କଶ୍ମୀରରେ ଲୋକଙ୍କ ସୁବିଧା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। କଶ୍ମୀରରେ ବ୍ୟାଙ୍କ୍‌, ଏଟିଏମ୍‌ ଏବଂ ଦୋକାନ ବଜାର ବି ଖୋଲା ରହିଛି। ସରକାରୀ ଚାକିରିଆମାନଙ୍କୁ ଅଗ୍ରିମ ଦରମା ମିଳିସା‌ରିଛି। ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ପନିପରିବାଠାରୁ ଆରମ୍ଭ କରି ଏଲ୍‌ପିଜି ସିଲିଣ୍ଡର୍‌ , କୁକୁଡ଼ା ଓ ଅଣ୍ଡା ଆଦି ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ଯାନ ମୁତୟନ ହୋଇଛି। ଛୁଟିଦିନରେ ମଧ୍ୟ ବ୍ୟାଙ୍କ୍‌ ଖୋଲା ଅଛି। ଶ୍ରୀନଗରରେ ୬ଟି ମଣ୍ଡି ଏବଂ ବଜାର ପ୍ରତିଷ୍ଠା ହୋଇଛି। ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଇଦ୍‌ ପାଇଁ ନିଜ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ରାସନ ଘାଟ କାର୍ଯ୍ୟକ୍ଷମ ହୋଇଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବିପୁଳ ପରିମାଣରେ ମହଜୁଦ ରଖାଯାଇଛି। ଆଜି ରବିବାରରେ ଶ୍ରୀନଗରରେ ଖୋଲାଥିବା ସମସ୍ତ ଦୋକାନ ଆଗରେ ଲମ୍ବା ଲାଇନ୍‌ ଲାଗିଥିବା ଜଣାପଡ଼ିଛି। ସମସ୍ତ ଚିକିତ୍ସାଳୟ ମଧ୍ୟ ଖୋଲା ରହିଛି। ଔଷଧ ଦୋକାନ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ମଧ୍ୟ ଉପଲବ୍ଧ ରହିଛି। ସେହିପରି ପାନୀୟ ଜଳ ଯୋଗାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସୁବିଧା ପାଇଁ ମିଠା ଏବଂ ବେକରି ସପ୍‌ ଖୋଲା ରହିଛି ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି। ସାଉଦି ଆରବରୁ ହଜ୍‌ ଯାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ଅଗଷ୍ଟ ୧୮ ତାରିଖରୁ ବିମାନ ସେବା ଆରମ୍ଭ ହେବ। ସମସ୍ତ ଡେପୁଟି କମିସନରମାନେ ସେମାନଙ୍କ ନୋଡାଲ ଅଫିସରଙ୍କୁ ମନୋନୀତ କରି ସାରିଛନ୍ତି ଯେଉଁମାନେ ବିମାନବନ୍ଦରରେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ହଜ୍‌ ଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସହଯୋଗ କରିବେ।

ସମ୍ବନ୍ଧିତ ଖବର