୨ ମାସର କଟକଣା ହଟିଲା: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କଶ୍ମୀର

ମୁକ୍ତ ହେଲେ ୩ ଜମ୍ମୁ କଶ୍ମୀର ନେତା

ଶ୍ରୀନଗର: ଦୀର୍ଘ ୨ ମାସର କଟକଣା ପରେ କଶ୍ମୀର ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଦୁଇମାସ ପୂ‌ର୍ବେ ସମସ୍ତ ପର୍ଯ୍ୟଟକଙ୍କୁ କଶ୍ମୀର ଛାଡ଼ିବାପାଇଁ କୁହାଯାଇଥିଲା। ଅଗଷ୍ଟ ୨ ତାରିଖରେ କେନ୍ଦ୍ର ସରକାର ଅମରନାଥ ଯାତ୍ରା ବାତିଲ କରିଦେଇଥିଲେ ଏବଂ ସମସ୍ତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ତୁରନ୍ତ କଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। କଶ୍ମୀର ପର୍ଯ୍ୟଟକଙ୍କ ପାଇଁ ଏବେ ପୁଣିଥରେ ଖୋଲିବା ସହ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀନଗର ସହରର ସ୍ଥିତି ମଧ୍ୟ ଧୀରେ ଧୀରେ ସ୍ବାଭାବିକ ହେଉଛି। ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ ଗତ ସୋମବାର ଦିନ ମୁଖ୍ୟ ସଚିବ ଏବଂ ପରାମର୍ଶଦାତାଙ୍କ ସହ ସୁରକ୍ଷା ସ୍ଥିତି ସଂକ୍ରାନ୍ତ ବୈଠକ କରିବାପରେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଜମ୍ମୁରେ ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ଥିବା ବେଳେ ଘାଟି ଅଂଚଳରେ ବ୍ୟବସାୟିକ କାରବାର ମଧ୍ୟ ସ୍ବାଭାବିକ ହେବାରେ ଲାଗିଛି। ଗତ ବୁଧବାରଠାରୁ ଜମ୍ମୁ କଶ୍ମୀରରେ ସମସ୍ତ ସ୍କୁଲ୍‌, କଲେଜ ଏବଂ ବିଶ୍ବବିଦ୍ୟାଳୟ ଖୋଲିଛି। ଧାରା ୩୭୦ ହଟିବା ପରେ ଆସନ୍ତା ୨୪ ତାରିଖରେ ପ୍ରଥମ ପଂଚାୟତ ନିର୍ବାଚନ ହେବାକୁ ଯାଉଛି।

ଶ୍ରୀନଗର: ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ କଶ୍ମୀରରେ ଅଟକ ଥିବା ରାଜନେତାଙ୍କ ମଧ୍ୟରୁ ୩ ଜଣ ଆଜି ମୁକ୍ତ ହୋଇଛନ୍ତି। ୟବର ମୀର, ନୁର ମହମ୍ମଦ ଏବଂ ସୋହେବ ଲୋନ୍‌ଙ୍କୁ ଆଜି ଜମ୍ମୁ କଶ୍ମୀର ପ୍ରଶାସନ ମୁକ୍ତ କରିଛନ୍ତି। ମୀର ଜଣେ ପୂର୍ବତନ ପିଡିପି ବିଧାୟକ ଏବଂ ରଫିଆବାଦ୍‌ ବିଧାନସଭା ଆସନକୁ ସେ ପ୍ରତିନିଧିତ୍ବ କରୁଥିଲେ। ସୋହେବ ଲୋନ୍‌ ଉତ୍ତର କଶ୍ମୀରରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ପରେ ସେ ଦଳର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ। ନୁର ମହମ୍ମଦ୍‌ ଜଣେ ଏନ୍‌ସି (ନ୍ୟାସନାଲ କନଫରେନ୍ସ) କର୍ମୀ। ପୂର୍ବରୁ ପିପୁଲ୍ସ କନଫ‌ରେନ୍ସର ଇମ୍ରାନ୍‌ ଅନ୍‌ସାରୀ ଏବଂ ଏନ୍‌ସିର ସୟଦ ଅଖୁନ୍‌ଙ୍କୁ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଗତ ସେପ୍ଟେମ୍ବର ୨୧ ତାରିଖରେ ମୁକ୍ତ କରାଯାଇଥିଲା। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରର ପ୍ରାୟ ୧୦୦୦ରୁ ଅଧିକ ରାଜନେତା ଅଟକ ଅଛନ୍ତି। ଅଟକ ଥିବା ରାଜନେତାଙ୍କ ମଧ୍ୟରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ମଧ୍ୟ ଅଛନ୍ତି। ୨୫୦ରୁ ଅଧିକ ରାଜନେତାଙ୍କୁ ଜମ୍ମୁ କଶ୍ମୀର ବାହାରେ ଥିବା ଜେଲ୍‌କୁ ପଠାଇ ଦିଆଯାଇଛି। ଫାରୁକ୍‌ ଅବଦୁଲ୍ଲା ଜନ ସୁରକ୍ଷା ଆଇନ ଅଧୀନରେ ଅଟକ ଥିବାବେଳେ ଅନ୍ୟ ରାଜନେତାମାନେ ଅନ୍ୟ ଆଇନ ବଳରେ ଅଟକ ରହିଛନ୍ତି।

ସମ୍ବନ୍ଧିତ ଖବର