କାଠମାଣ୍ଡୁ: ନେପାଳ ହିଂସା ହେତୁ ବନ୍ଦ୍‌ ହେବାର ‌ଗୋଟାଏ ଦିନ ପରେ ପୁଣି ଥରେ ଖୋଲିଛି କାଠମାଣ୍ଡୁ ବିମାନବନ୍ଦର। କାଠମାଣ୍ଡୁ ବିମାନବନ୍ଦର ପୁନର୍ବାର ଖୋଲିଛି ବୋଲି ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Advertisment

ହିଂସା ରୋକିବା ପାଇଁ ନେପାଳ ସେନା ଦେଶବ୍ୟାପୀ କଟକଣା ଲାଗୁ କରିବା ପରେ ବୁଧବାର କର୍ତ୍ତୃପକ୍ଷ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ବିମାନବନ୍ଦରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ପ୍ରତିକୂଳ ପରିସ୍ଥିତି ହେତୁ ସ୍ଥଗିତ ଥିବା ବିମାନ ଉଡ଼ାଣଗୁଡ଼ିକୁ ଏବେ ପ୍ରତ୍ୟାହାର କରାଯିବ। ଏଥିରେ ଯାତ୍ରୀମାନଙ୍କୁ ଉଡ଼ାଣ ସୂଚନା ପାଇଁ ସେମାନଙ୍କ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହାସହିତ ଯାତ୍ରା କରିବା ସମୟରେ ବିମାନ ଟିକେଟ୍ ଏବଂ ପରିଚୟ ପତ୍ର ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି।

ନେପାଳ ହିଂସା ହେତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି କାଠମାଣ୍ଠୁ ବିମାନ ବନ୍ଦରକୁ ପୂରାପୂରି ବନ୍ଦ କରି ଦିଆଯାଇଥିଲା। ଖାଲି ସେତିକି ନୁହେଁ; ଏୟାର ଇଣ୍ଡିଆ ତାର ସମସ୍ତ ବିମାନ ନେପାଳକୁ ଉଡାଣ ବାତିଲ କରିଥିଲା। ନେପାଳରେ ହିଂସା ଏବଂ ଆନ୍ଦୋଳନ ଭୟଙ୍କର ରୂପ ନେଉଥିବାରୁ ଦିଲ୍ଲୀ-କାଠମାଣ୍ଡୁ ବିମାନ ଉଡାଣକୁ ବାତିଲ କରିଥିଲା ଏୟାର ଇଣ୍ଡିଆ। ଇଣ୍ଡିଗୋ ମଧ୍ଯ ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିବା ସମସ୍ତ ବିମାନକୁ କାଲି ଗୋଟାଏ ଦିନ ପାଇଁ ବନ୍ଦ୍‌ କରିଥିଲା। 

ଉଲ୍ଲେଖଯୋଗ୍ୟ,  ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣାକୁ ବିରୋଧ କରି ନେପାଳରେ ଚାଲିଥିବା‌ ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି।  ସୋମବାର ଆରମ୍ଭ ହୋଇଥିବା ହିଂସା ନ ଥମିବାରୁ ନେପାଳ ସରକାର ଏହି ନିଷେଧାଦେଶ ଉଠାଇଦେ‌ଇଥିଲେ ବି ଆନ୍ଦୋଳନକାରୀ ଥଣ୍ଡା ପଡ଼ିନାହାନ୍ତି।