ସୁପ୍ରିମକୋର୍ଟ ଯିବେ ପୀଡ଼ିତ ପରିବାର

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ନୂଆଦିଲ୍ଲୀ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମାମଲାର ବିଚାରପ୍ରକ୍ରିୟା ବଡ଼ ସମସ୍ୟା ପାଲଟିଛି। ପୀଡ଼ିତ ପରିବାର ଏବେ ଚାହିଛନ୍ତି ମାମଲାର ବିଚାର ପ୍ରକ୍ରିୟା ଜମ୍ମୁ କଶ୍ମୀରରେ ନହୋଇ ଅନ୍ୟ କୌଣସି ରାଜ୍ୟକୁ ସ୍ଥାନାନ୍ତର କରାଯାଉ। ଏନେଇ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ ବାର୍‌ ଆସୋସିଏସନ୍‌ର ଆଇନଜୀବୀମାନେ କଠୁଆ ଦୁଷ୍କର୍ମ ମାମଲାରେ ଜମ୍ମୁ କଶ୍ମୀର ପୁଲିସ କ୍ରାଇମବ୍ରାଞ୍ଚ୍‌ ଦାଖଲ କରିଥିବା ଚାର୍ଜସିଟ୍‌କୁ ବିରୋଧ କରୁଥିବାବେଳେ ବିଚାର ପ୍ରକ୍ରିୟା ଆଗକୁ ବଢ଼ିବାରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ମାମଲାର ସଠିକ୍‌ ବିଚାର ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ପୀଡ଼ିତ ପରିବାର କହିଛନ୍ତି। ଜମ୍ମୁରେ ଲାଗି ରହିଥିବା ପରିସ୍ଥିତି ପାଇଁ ବିଚାର ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ହେବ କି ନହିଁ ସେନେଇ ପରିବାର ଆଶଙ୍କିତ ରହିଛନ୍ତି। ତେଣୁ ସେମାନେ ମାମଲାଟିକୁ ଅନ୍ୟ କୌଣସି ରାଜ୍ୟକୁ ସ୍ଥାନାନ୍ତର କରିବାପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।

ଆନ୍ଦୋଳନରତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ହେବ
କଠୁଆ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଥିବା ଜମ୍ମୁ କଶ୍ମୀର ବାର୍‌ ଆସୋସିଏସନ୍‌ର ଆଇନଜୀବୀମାନଙ୍କ ଆନ୍ଦୋଳନ ନେଇ ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ ତଦନ୍ତ କରିବେ ଏବଂ ସେମାନଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କହିବେ। ମାମଲାର ତଦନ୍ତ ପାଇଁ ଏକ ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି ଏବଂ ଏହି କମିଟି ଖୁବ୍‌୍‌ଶୀଘ୍ର କଠୁଆ ଏବଂ ଜମ୍ମୁ ଗସ୍ତ କରିବେ। କମିଟିର ନେତୃତ୍ୱ ନେବେ ପୂର୍ବତନ ଆଇନଜୀବୀ ତରୁଣ ଅଗ୍ରଓ୍ଵାଲ୍‌। କମିଟି ଏନେଇ ବାର୍‌ କାଉନସିଲ ଅଫ ଇଣ୍ଡିଆକୁ ରିପୋର୍ଟ ଦେବେ ଏବଂ ପରେ ଏହି ରିପୋର୍ଟ ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ ହେବ। ଯଦି କୌଣସି ଆଇନଜୀବୀ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ଶ୍ରୀ ମିଶ୍ର ଆଜି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ୯ ତାରିଖରେ କିଛି ଆଇନଜୀବୀ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେକେ ପୁଲିସ କ୍ରାଇମବ୍ରାଞ୍ଚ୍‌ର ଚାର୍ଜସିଟ୍‌କୁ ବିରୋଧ କରିଥିବା ବେଳେ ପୀଡ଼ିତ ପକ୍ଷର ଓକିଲଙ୍କୁ ନାନା ଧମକ ଦେଇଥିଲେ। ଜମ୍ମୁ କଶ୍ମୀର ବାର୍‌ ଆସୋସିଏସନ୍‌ ଆନ୍ଦୋଳନକାରୀ ଆଇନଜୀବୀମାନଙ୍କୁ ସମର୍ଥନ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏନେଇ ପୂର୍ବରୁ ବାର୍‌ କାଉନସିଲ୍‌ ଅଫ ଇଣ୍ଡିଆ ଏବଂ ଜମ୍ମୁ ବାର୍‌ ଆସୋସିଏସନକୁ ନୋଟିସ ଜାରି କରିଛନ୍ତି।

୩ ପୁଲିସ ଅଧିକାରୀ ବରଖାସ୍ତ
କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୩ଜଣ ପୁଲିସ କର୍ମୀଙ୍କୁ ଆଜି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚାକିରିରୁ ବହିଷ୍କାର କରିଦେଇଛନ୍ତି। ଅଭିଯୁକ୍ତ ସବ୍‌ଇନ୍ସପେକ୍ଟର ଆନନ୍ଦ ଦତ୍ତ, ହେଡ୍‌ କନେଷ୍ଟବଳ ତିଲକ ରାଜ ଏବଂ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଦୀପକ ଖଜୁରିଆ ଚାକିରି ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୁଫ୍‌ତି ମାମଲାର ବିଚାର ପାଇଁ ଫାଷ୍ଟ୍‍ ଟ୍ରାକ୍‌ କୋର୍ଟ ଗଠନ ନେଇ ଗତକାଲି ଜମ୍ମୁ କଶ୍ମୀର ହାଇକୋର୍ଟଙ୍କୁ ପତ୍ର ଲେଖିଥିବା ବେଳେ ଜଣେ ହେଲେ ଅଭିଯୁକ୍ତ ଏଥିରୁ ବର୍ତ୍ତିପାରିବେ ନାହିଁ ବୋଲି ପୀଡ଼ିତ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।

ପୀଡ଼ିତାଙ୍କ ଶେଷ ସଂସ୍କାର ପାଇଁ ଜାଗା ଦେଲେନି
ଜମ୍ମୁ କଶ୍ମୀର କଠୁଆ ଜିଲ୍ଲା ସ୍ଥିତ ରସନା ଗ୍ରାମର ୮ ବର୍ଷୀୟା ଶିଶୁ କନ୍ୟାକୁ ଗଣଦୁଷ୍କର୍ମ ପରେ ଅତି ନିଷ୍ଠୁର ଭାବେ ହତ୍ୟା କରାଯାଇଥିଲା। ଏବେ ପୀଡ଼ିତାର ଶେଷ ସଂସ୍କାର ପାଇଁ ଗ୍ରାମରେ ଟିକେ ମାଟି ଛାଡ଼ବାକୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ରାଜି ହୋଇନଥିବାରୁ ଗ୍ରାମଠାରୁ ୮ କିମି ଦୂରରେ ଏକ ଗହମ କ୍ଷେତ ନିକଟରେ ପୀଡ଼ିତାଙ୍କୁ କବର ଦିଆଯାଇଛି । ପୀଡ଼ିତା ପରିବାରର ଅନ୍ୟ ମୃତ ବ୍ୟକ୍ତିଙ୍କ ସମାଧିଠାରୁ ପୀଡ଼ିତାଙ୍କ କବର ବହୁ ଦୂରରେ ରହିଛି। ପୀଡ଼ିତାଙ୍କ ଜେଜେମା’ କହିଛନ୍ତି ଯେ ରସନା ଗ୍ରାମ ନିକଟରେ ପୀଡ଼ିତାର ଶେଷ ସଂସ୍କାର ପାଇଁ ମାଟି ଖୋଳା ଚାଲିଥିଲେ ମଧ୍ୟ ରସନା ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ ଏବଂ କହିଥିଲେ ଏହି ଜାଗା ସେମାନଙ୍କର ନୁହେଁ। ଏହାପରେ ସେମାନେ ବାଧ୍ୟ ହୋଇ ଗ୍ରାମଠାରୁ ବହୁ ଦୂରରେ କବଳ ଖୋଳିଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର