ନୂଆଦିଲ୍ଲୀ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନାବାଳିକା ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ୧୨ଟି ଗଣମାଧ୍ୟମ ସଂସ୍ଥାକୁ ଆଜି ଦିଲ୍ଲୀ ହାଇକୋର୍ଟ ୧୦ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଏବଂ ବିଚାରପତି ହରିଶଙ୍କରଙ୍କ ଖଣ୍ଡପୀଠ ଏହି ମାମଲାରେ ରାୟ ଦେଇ କହିଛନ୍ତି ଯେ ଏଭଳି ଘଟଣାର ଖବର ପ୍ରକାଶନ କ୍ଷେତ୍ରରେ ରହିଥିବା ମାନଦଣ୍ଡକୁ ସଂପୃକ୍ତ ଗଣମାଧ୍ୟମ ସଂସ୍ଥାମାନେ ଉଲ୍ଲଂଘନ କରିଛନ୍ତି। ସେମାନେ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବାରୁ ଅଦାଲତ ସେମାନଙ୍କୁ ଦୋଷୀ ଘୋଷଣା କରିଛନ୍ତି ଏବଂ ପ୍ରତ୍ୟେକ ସଂସ୍ଥାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି। ଏହି ଅର୍ଥ ଜମ୍ମୁ କଶ୍ମୀର ସରକାରଙ୍କ ରିଲିଫ୍୍ ପାଣ୍ଠିକୁ ଦିଆଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏ ବାବଦରେ କୋର୍ଟରେ କ୍ଷମା ପ୍ରାର୍ଥନା କରିବା ପରେ କୋର୍ଟ ଜୋରିମାନା ଲାଗୁ କରିଛନ୍ତି। ଆଇପିସିର ଧାରା ୨୨୮(ଏ) ଅନୁଯାୟୀ ଏଭଳି ଅପରାଧ କ୍ଷେତ୍ରରେ ୨ ବର୍ଷ ଜେଲ୍ ଏବଂ ଜୋରିମାନା ଦଣ୍ଡ ବ୍ୟବସ୍ଥା ରହିଛି। ଅଦାଲତଙ୍କ ରାୟ ଘୋଷଣା ବେଳେ ସଂପୃକ୍ତ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଓକିଲମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଜମ୍ମୁର କଠୁଆରେ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ୮ ବର୍ଷର ଝିଅକୁ ଗତ ଜାନୁଆରି ୧୦ ତାରିଖରେ ଅପହରଣ କରିନିଆଯାଇଥିଲା। ସପ୍ତାହକ ପରେ ଝିଅଟିର ଶବ ମିଳିଥିଲା। ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା। ଏହି ମାମଲାକୁ ନେଇ ଦେଶବ୍ୟାପୀ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଅଭିଯୁକ୍ତଙ୍କ ସପକ୍ଷରେ ଜମ୍ମୁ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି।
କଠୁଆ ଗଣଦୁଷ୍କର୍ମ: ୧୨ଟି ଗଣମାଧ୍ୟମ ସଂସ୍ଥାକୁ୧୦ ଲକ୍ଷ ଲେଖାଏଁ ଜୋରିମାନା
/sambad/media/post_attachments/wp-content/uploads/2018/04/kathua-1.jpg)
/sambad/media/agency_attachments/2024-07-24t043029592z-sambad-original.webp)