କଠୁଆ ନାବାଳିକା ଦୁଷ୍କର୍ମ ମାମଲା: ଶ୍ୱାସରୁଦ୍ଧ ଯୋଗୁ ପୀଡ଼ିତାଙ୍କ ମୃତ୍ୟୁ

ବାରମ୍ବାର ଯୌନ ଉତ୍ପୀଡ଼ନର ଶିକାର

ପଠାନ୍‌କୋଟ: ବହୁଚର୍ଚ୍ଚିତ କଠୁଆ ଦୁଷ୍କର୍ମ ମାମଲାରେ ଆଜି ଆଉ ଏକ ତଥ୍ୟ ମିଳିଛି। ୮ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଇଥିବା ଡାକ୍ତରଙ୍କ କହିବାନୁସାରେ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। କିନ୍ତୁ ତାଙ୍କର ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ଘଟିଛି। ପଠାନ୍‌କୋଟ୍‌ର ଏକ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଡାକ୍ତରମାନଙ୍କ ସୂଚନାକୁ ଆଧାର କରି ସ୍ୱତନ୍ତ୍ର ସରକାରୀ ଓକିଲ ଜେ କେ ଚୋପ୍ରା ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କଠୁଆ ଦୁଷ୍କର୍ମ ମାମଲାରେ ଏବେସୁଦ୍ଧା ୫୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। କିନ୍ତୁ କୋର୍ଟଙ୍କ ପକ୍ଷରୁ ଏ ବାବଦରେ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ ପାଇନାହିଁ। ଚଳିତବର୍ଷ ଜାନୁଆରି ୧୦ ତାରିଖରେ ପୀଡ଼ିତା ଜଣକ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଜାନୁଆରି ୧୪ରେ ତାଙ୍କୁ ହତ୍ୟା କରାଯାଇଥିଲା। ଜାନୁଆରି ୧୭ ତାରିଖରେ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତମାନେ ଅତ୍ୟନ୍ତ ଦୟନୀୟ ଭାବେ ନାବାଳିକାକୁ ହତ୍ୟା କରିଥିଲେ। ତେବେ ଡାକ୍ତରଙ୍କ ତଥ୍ୟ ଅନୁସାରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ଶ୍ୱାସରୁଦ୍ଧ କରି ତାଙ୍କୁ ମାରିଥିବା ଅନୁମାନ କରାଯାଉଛି। ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର