ସୁପ୍ରିମ୍‌ କୋର୍ଟରେ କଠୁଆ ଗଣଦୁଷ୍କର୍ମଓ ହତ୍ୟା ମାମଲା:ଆତଙ୍କରେ ମହିଳା ଓକିଲ

ଆରମ୍ଭ ହେଲା ବିଚାର:ନାର୍କୋ ଟେଷ୍ଟ୍‌ ପାଇଁ ଦାବି କଲେ ଅଭିଯୁକ୍ତ:ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପାଇଁ କାଶ୍ମୀର ସରକାରଙ୍କୁ ନୋଟିସ

ଶ୍ରୀନଗର : କଠୁଆ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ପୀଡ଼ିତାଙ୍କ ପାଇଁ ମକଦ୍ଦମା ଲଢୁଥିବା ଆଇନ୍‌ଜୀବୀ ଦୀପିକା ଏସ୍‌. ରାଜାଓ୍ଵତଙ୍କର ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜମ୍ମୁ-କଶ୍ମୀର ସରକାରଙ୍କୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଦୀପିକା ଅଭିଯୋଗ କରିଛନ୍ତି, ଏହି ମାମଲା ସେ ଲଢୁଥିବାରୁ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଆଖ୍ୟା ଦିଆଯାଉଛି ଏବଂ ସାମାଜିକ ବାସନ୍ଦ ମଧ୍ୟ କରାଯାଇଛି। ଜଣେ ୮ବର୍ଷର ନାବାଳିକାଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କରାଯିବା ଓ ହତ୍ୟା କରାଯିବା ଭଳି ସମ୍ବେଦନଶୀଳ ମାମଲାକୁ କୌଣସି ଆଇନ୍‌ଜୀବୀ ଗ୍ରହଣ କରୁନଥିବା ବେଳେ ସେ ଏହି ମାମଲା ଲଢୁଥିବାରୁ ତାଙ୍କୁ ଆଇନ୍‌ଜୀବୀଙ୍କ ସଂଗଠନରୁ ଅଲଗା କରିଦିଆଯାଇଛି। ‘ମୋ ସହ ଏଭଳି ଘଟଣା ଘଟିବା ନିହାତି ଭାବେ ଦୁର୍ଭାଗ୍ୟଜନକ, ତଥାପି ମୁଁ ଭୟ ନକରି ନ୍ୟାୟ ପାଇଁ ଲଢେଇ ଜାରି ରଖିବି। ମୁଁ ଭୟଭୀତ ନୁହେଁ, କିନ୍ତୁ ବିପଦମୁକ୍ତ ମଧ୍ୟ ନୁହେଁ’ ବୋଲି ସେ ପ୍ରକାଶ କରିଛନ୍ତି। ଜମ୍ମୁ-କଶ୍ମୀର ଓକିଲ ସଂଘ ସଭାପତି ବିଏସ୍‌ ସଥଲିୟା ତାଙ୍କୁ ଏହି ମାମଲାରୁ ଓହରିବାକୁ ଧମକ ଦେଇଥିଲେ ବୋଲି ପୂର୍ବରୁ ଦୀପିକା ଅଭିଯୋଗ ଆଣିଥିଲେ।
ଅପରପକ୍ଷେ, ଦୀପିକା ଆଣିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଏବଂ ଓକିଲ ସଂଘ ଗତ ୩ ତାରିଖରୁ ଧାରଣା ଦେଇଥିବା କଥା ସମ୍ପୂର୍ଣ୍ଣ ମିଛ ବୋଲି ଜମ୍ମୁ-କଶ୍ମୀର ବାର୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପାଇଁ ପୁଲିସକୁ ବାରଣ କରିଥିବା ଏବଂ ଅଭିଯୁକ୍ତଙ୍କ ପକ୍ଷ ରଖିଥିବା ଓକିଲଙ୍କ ମାମଲାର ତଦନ୍ତ ପାଇଁ ଆଜି ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରିଛି।

ଜମ୍ମୁ, : ସାରା ଦେଶକୁ ସ୍ତବ୍ଧ କରିଦେଇଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ପ୍ରକ୍ରିୟା ଆଜି କଠୁଆ ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାର ଶୁଣାଣି ବେଳେ ସମସ୍ତ ୮ ଜଣ ଅଭିଯୁକ୍ତ କୋର୍ଟ ପରିସରରେ ଉପସ୍ଥିତ ଥିଲେ। କ୍ରାଇମବ୍ରାଞ୍ଚ୍‌ ପ୍ରସ୍ତୁତ କରିଥିବା ବିସ୍ତତ ଚାର୍ଜସିଟ୍‌ ସେମାନଙ୍କୁ ଦିଆଯାଇନଥିବା ନେଇ ସମସ୍ତ ୮ ଅଭିଯୁକ୍ତଙ୍କ ଆଇନଜୀବୀ ଅଙ୍କୁର ଶର୍ମା ବିଚାରପତି ସଞ୍ଜିବ ଗୁପ୍ତାଙ୍କୁ କହିଥିଲେ। ଏହାପରେ ବିଚାରପତି ଶର୍ମା ଜେକେ ପୁଲିସ କ୍ରାଇମବ୍ରାଞ୍ଚ୍‌କୁ ସମସ୍ତ ଅଭିଯୁକ୍ତଙ୍କ ଚାର୍ଜସିଟ୍‌ର କପି ଦେବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୨୮ ତାରିଖରେ ହେବ ବୋଲି କହିଛନ୍ତି। ଅପରପକ୍ଷେ ଜମ୍ମୁ-କଶ୍ମୀର ସରକାର ଏହି ସ୍ପର୍ଶକାତର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦୁଇଜଣ ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ତେବେ ପୀଡ଼ିତା ଜଣେ ଯାଯାବର ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାରୁ ମାମଲାରେ ହିନ୍ଦୁ-ମୁସଲିମ୍‌ ଭେଦଭାବ ନେଇ ବିଚାର ପ୍ରକ୍ରିୟାରେ ପକ୍ଷପାତିତାକୁ ଆଡ଼େଇବାପାଇଁ ସରକାର ଦୁଇଜଣ ଶିଖ୍‌ ଆଇନଜୀବୀଙ୍କୁ ନିଯୁକ୍ତ କରିଛନ୍ତି। ତେବେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର କମିଟି ଖୁବ୍‌ ଶୀଘ୍ର କଠୁଆ ଗସ୍ତ କରି ସେଠାରେ ଅଭିଯୁକ୍ତଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଥିବା ଆଇନଜୀବୀଙ୍କର ତଦନ୍ତ କରିବେ।

ଜମ୍ମୁ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟାମାମଲାର ବିଚାରପ୍ରକ୍ରିୟା ଆଜି କଠୁଆ ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଥିବାବେଳେ ମାମଲାରେ ସମସ୍ତ ୮ ଜଣ ଅଭିଯୁକ୍ତ ଆଜି କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ସେମାନଙ୍କର ନାର୍କୋ ଟେଷ୍ଟ୍‍ କରାଯାଉ ବୋଲି ଦାବି କରିଥିଲେ। ନାର୍କୋ ଟେଷ୍ଟ୍‍ ପରେ ସବୁ ସତ ଜଣାପଡ଼ିବ ଏବଂ ସେମାନେ ନିର୍ଦ୍ଦୋଷ ପ୍ରମାଣିତ ହେବେ ବୋଲି ସେମାନେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟପଟେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଆଜି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

ନୂଆଦିଲ୍ଲୀ, ୧୬ା ୪: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାର ବର୍ଗ ଓ ତାଙ୍କ ମାମଲା ଲଢୁଥିବା ଓକିଲଙ୍କୁ ସୁରକ୍ଷା ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବିଚାର ପ୍ରକ୍ରିୟାକୁ ଜମ୍ମୁ କଶ୍ମୀରରୁ ଚଣ୍ଡୀଗଡ଼କୁ ସ୍ଥାନାନ୍ତରିତ କରିବାପାଇଁ ପୀଡ଼ିତାଙ୍କ ବାପା ସୁପ୍ରିମକୋର୍ଟରେ କରିଥିବା ଆବେଦନ ଆଧାରରେ ଆଜି ଜମ୍ମୁ-କଶ୍ମୀର ସରକାରଙ୍କୁ ନୋଟିସ୍‌ ଜାରି କରି ଏପ୍ରିଲ ୨୭ ତାରିଖ ମଧ୍ୟରେ ମତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୭ ତାରିଖରେ ହିଁ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନଓ୍ଵିଲକର ଓ ଡି.ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କଠୁଆ ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ପୀଡ଼ିତାଙ୍କ ପିତାଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ୱାସନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୀଡ଼ିତାଙ୍କ ପିତା ଜମ୍ମୁ-କଶ୍ମୀର ପୁଲିସ୍‌ ତଦନ୍ତ ପ୍ରକ୍ରିୟାରେ ସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୁକ୍ତ ଦାବି କରୁଥିବା ସିବିଆଇ ତଦନ୍ତ କରାନଯାଉ ବୋଲି ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରିଥିଲେ। ଏହାବାଦ୍‌ ଦୁଷ୍କର୍ମ ମାମଲରେ ନାବାଳକ ଅଭିଯୁକ୍ତ ରହୁଥିବା ବାଳସୁଧାର ଗୃହରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାପାଇଁ ମଧ୍ୟ ପୀଡ଼ିତାଙ୍କ ପିତା ତାଙ୍କ ଆବେଦନରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର