ପାଟନା (ବିହାର): ବିହାର କଟିହାର ଜିଲ୍ଲାର ବିଦାୟୀ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ସିଦ୍ଧାର୍ଥ ମୋହନ ଜୈନ୍‌ ଏବେ ତାଙ୍କ ନିଜର ଏକ କାରନାମାକୁ କେନ୍ଦ୍ର କରି ବିବାଦ ମଧ୍ୟରେ ଫସି ଯାଇଛନ୍ତି। କଟିହାର ଏସ୍‌ପି ସିଦ୍ଧାର୍ଥ ମୋହନ ଜୈନ୍‌ ତାଙ୍କ ବଦଳି ଅବସରରେ ଆୟୋଜିତ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବା ଅବକାଶରେ ସଂପୂର୍ଣ୍ଣ ଫିଲ୍ମି ଷ୍ଟାଇଲ୍‌ରେ ନିଜ ସର୍ଭିସ୍‌ ରିଭଲଭରରୁ ୧୦ ରାଉଣ୍ଡ ଗୁଳି ଯେପରି ଶୂନ୍ୟକୁ ଚଳାଇଲେ ତାହାର ଭିଡିଓ ଏବେ ଭାଇରାଲ ହୋଇ ପଡ଼ିବା ପରେ, ଜୈନ୍‌ଙ୍କ ଏପ୍ରକାର ଆଚରଣକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏବଂ ଏସ୍‌ପି ଜୈନ୍‌ ଛନ୍ଦି ହୋଇ ଯାଇଛନ୍ତି ଏକ ଅଯଥା ବିବାଦରେ।

Advertisment

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସିଦ୍ଧାର୍ଥ ମୋହନ ଜୈନ୍‌ ହେଉଛନ୍ତି ଜଣେ ବିହାର କ୍ୟାଡରର ଆଇପିଏସ୍‌। ସେ ବିହାର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥାଇ ବିହାର କଟିହାର ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ନିଯୁକ୍ତ ହୋଇଥିଲେ। ତେବେ, ଗତ ସପ୍ତାହରେ ସିଦ୍ଧାର୍ଥଙ୍କର ବଦଳି ଅର୍ଡର ପ୍ରକାଶ ପାଇଥିଲା। ଯେଉଁ ଥିରେ ତାଙ୍କୁ ଡେପୁଟେସନ୍‌ରେ କେନ୍ଦ୍ର ସରକାରଙ୍କ ଅଧୀନକୁ ପଠାଯିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ନୂତନ ଭାବେ ନିଯୁକ୍ତ କରା ଯାଇଥିଲା। ଏହାର ଅଳ୍ପ ଦିନ ପୂର୍ବରୁ କଟିହାର ଜିଲ୍ଲାପାଳ ମିଥିଲେଶ ମିଶ୍ରାଙ୍କର ମଧ୍ୟ ଅନ୍ୟ ଏକ ଜିଲ୍ଲାକୁ ବଦଳି ଆଦେଶ ପ୍ରକାଶ ପାଇଥିଲା।

ତେବେ, କଟିହାରର ବିଦାୟୀ ଏସ୍‌ପି ସିଦ୍ଧାର୍ଥ ଜୈନ ଓ ଜିଲ୍ଲାପାଳ ମିଥିଲେଶ ମିଶ୍ରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜିଲ୍ଲା ପୁଲିସ୍‌ ପ୍ରଶାସନ ପକ୍ଷରୁ ଗଲ୍ଫ ମୈଦାନରେ ଏକ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉଭୟ ବିଦାୟୀ ଏସ୍‌ପି ଜୈନ୍‌ ଓ ଜିଲ୍ଲାପାଳ ମିଶ୍ରା ଏହି ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଖାଦ୍ୟ ପାନୀୟର ଭରପୂର ମଜା ନେବା ସହ ବିଗତ ଦିନର ବଲିଉଡ୍‌ ହିଟ୍‌ ଗୀତଗୁଡ଼ିକୁ ଏକାଠି ଗାଇବା ସହ ନାଚ ମଧ୍ୟ କରିଥିଲେ।


ରାତି ଯେତେ ଯେତେ ବଢ଼ୁଥିଲା ଆସର ସେତେ ଜମି ଜମି ଆସୁଥିଲା। ହଠାତ୍‌ ବିଦାୟୀ ଜିଲ୍ଲାପାଳ ମିଶ୍ରା ଭାବପ୍ରବଣ ହୋଇ ଗାଇ ଉଠିଥିଲେ ପ୍ରସିଦ୍ଧ ‘ଶୋଲେ’ ଫିଲ୍ମର ସେଇ ଚିରସବୁଜ ଗୀତ, ‘ୟେ ଦୋସ୍ତି ହମ୍‌ ନେହିଁ ଛୋଡ଼େଙ୍ଗେ.....’। ଜିଲ୍ଲାପାଳ ମିଶ୍ରାଙ୍କର ଏ ଗୀତ ଏସ୍‌ପି ଜୈନ୍‌ଙ୍କୁ ମଧ୍ୟ ଭାବପ୍ରବଣ କରି ପକାଇଥିଲା। ତହୁଁ, ସେ ଜିଲ୍ଲାପାଳ ମିଶ୍ରାଙ୍କୁ ତାଙ୍କ ବନ୍ଧୁତ୍ୱର ନିଦର୍ଶନ ଦେଖାଇବାକୁ ଯାଇ ସଂପୂର୍ଣ୍ଣ ଫିଲ୍ମି ଶୈଳୀରେ ନିଜ ଅଣ୍ଟା ପଛରେ ଖୋଷିଥିବା ନିଜର ସର୍ଭିସ୍‌ ରିଭଲଭରକୁ ବାହାର କରି ଆକାଶକୁ ଲକ୍ଷ୍ୟ କରି ଶୂନ୍ୟରେ ଢ଼ୋ ଢ଼ୋ କରି ୧୦ ରାଉଣ୍ଡ ଗୁଳି ଫୁଟାଇଥିଲେ। ଏସ୍‌ପିଙ୍କ ଏପ୍ରକାର ଆଚରଣରେ ଆହୁରି ଉତ୍ସାହିତ ହୋଇ ସୁର ଲମ୍ବାଇ ଗୀତ ଗାଇ ଚାଲିଥିଲେ ଜିଲ୍ଲାପାଳ ମିଶ୍ର।

publive-image

ତେବେ, ସୌଭାଗ୍ୟକୁ ଏପ୍‌ପିଙ୍କ ରିଭଲଭରରୁ ବାହରିଥିବା ଗୁଳି କାହାରି ଦେହରେ ବାଜି ନଥିଲା, କିମ୍ବା କୌଣସି ପ୍ରକାରର ଅଘଟଣ ଘଟି ନଥିଲା। ତେବେ, ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇ ପଡ଼ିବା ପରେ, ଜୈନ୍‌ଙ୍କ ଏପ୍ରକାର ଆଚରଣକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଏବଂ ଅଯଥା ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଏସ୍‌ପି ଜୈନ୍‌।