ହରିଦ୍ୱାରରେ ରୁଣ୍ଡ ହେଲେ ୩ କୋଟି କାଉଡିଆ, ଆକାଶରୁ ହେଲା ଫୁଲ ବର୍ଷା

ହରିଦ୍ୱାର: ଗେରୁଆ ରଙ୍ଗରେ ସଜେଇ ହେଲା ହରିଦ୍ୱାର | ପାବନୀ ଗଙ୍ଗା କୂଳରେ ଆଜି ମହାଦେବଙ୍କ ଭକ୍ତଙ୍କର ଗହଳିରେ ଉଛୁଳିପଡିଥିଲା ହରିଦ୍ୱାର | ଉତ୍ତରାଖଣ୍ଡର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଦ୍ୱାରରେ ଆଜି ବହୁ ସଂଖ୍ୟାରେ କାଉଡିଆ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା | ପାଖାପାଖି ୩ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ଆସିଥିବାବେଳେ ହରିଦ୍ୱାରର ବିଭିନ୍ନ ଘାଟରେ ହର ହର ମହାଦେବ ଧ୍ୱନିରେ ଶୁଣିବାକୁ ମିଳିଥିଲା | କାଉଡିଆଙ୍କ ମହାସଙ୍ଗମକୁ ଦେଖି ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା |

ଉତ୍ତରାଖଣ୍ଡ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାଉଡିଆଙ୍କ ଉପରେ ଆକାଶରୁ ଫୁଲ ବର୍ଷା କରାଯାଇଥିଲା | ଗଙ୍ଗା କୂଳରେ ସମବେତ କାଉଡିଆଙ୍କ ଉପରେ ଗୋଟିଏ ହେଲିକପ୍ଟର ଆଜି ଫୁଲ ବର୍ଷା କରିବା ମାତ୍ରେ ସମସ୍ତେ ଏକ ସ୍ୱରରେ ବମ ବମ ଭୋଲେ ନାରା ଦେଇଥିଲେ |

ଏଠାରେ ସୂଚନା ଥାଉ କି ହରିଦ୍ୱାର ହିନ୍ଦୁ ଧର୍ମର ସାତ ପବିତ୍ର ସ୍ଥାନ ମଧ୍ୟରେ ଅନ୍ୟତମ । ଏଠାରୁ ହିଁ ଗଙ୍ଗା ନଦୀ ପ୍ରବାହିତ ହେବା ଆରମ୍ଭ କରିଥାଏ ବୋଲି ବିଶ୍ୱାସ ରହିଛି | ଲୋକଙ୍କର ବିଶ୍ୱାସ ରହିଛି ଯେ ଏଠାରେ ଅସ୍ଥି ବିସର୍ଜନ କଲେ ଆତ୍ମା ଶାନ୍ତି ପାଇବା ସହ ସାତ ଜନ୍ମର ପାପ ଲୋପ ପାଇଯାଇଥାଏ |

ସମ୍ବନ୍ଧିତ ଖବର