ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଶନିବାର ୮ ଘଣ୍ଟା ଜେରା କରାଯାଇଛି। ଜେରା ସମୟରେ ଇଡି ଯେତେବେଳେ ତାଙ୍କୁ ମୋବାଇଲ ଫୋନ ମାଗିଲା, ସେତେବେଳେ କବିତା କହିଥିଲେ କି ତାଙ୍କ ଫୋନ ସେ ଘରେ ଛାଡ଼ି ଆସିଛନ୍ତି। ଏହାପରେ ଇଡି ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ପଠାଇ ତାଙ୍କ ଘରୁ ମୋବାଇଲ ଫୋନ ମଗାଇ ଜବତ କରାଯାଇଛି। ଆଜି ସକାଳେ କବିତା ଯେତେବେଳେ ଇଡି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ, ବିଆର୍ଏସ୍ ସମର୍ଥକମାନେ ବହୁସଂଖ୍ୟାରେ ହାଜର ହୋଇ ବିଜେପି ଓ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଦଳୀୟ କର୍ମୀ ଓ ସମର୍ଥକମାନେ କେସିଆର୍ଙ୍କ ଦିଲ୍ଲୀ ବାସଭବନ ବାହାରେ ବହୁସଂଖ୍ୟାରେ ରୁଣ୍ଡ ହୋଇଥିଲେ। ଏହା ଦେଖି ଇଡି ପକ୍ଷରୁ ନିଜ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ତାଙ୍କୁ ଆସନ୍ତା ୧୬ ତାରିଖରେ ପୁଣି ହାଜର ହେବାକୁ ତଲବ ଜାରି କରାଯାଇଛି। ଜେରା ପାଇଁ ଇଡି ସମନ ଜାରି କରିବାର କେଇଘଣ୍ଟା ପରେ କବିତା ମାର୍ଚ୍ଚ ୮ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁସାରେ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲାଇଙ୍କୁ ସୋମବାର ରାତିରେ କବିତାଙ୍କ ସହ ମୁହାଁମୁହିଁ ବସାଇ ଜେରା କରାଯିବ। ପିଲାଇ ଏବେ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଇଡି ହାଜତରେ ଅଛନ୍ତି। କେସିଆର୍ ଓ ବିଆର୍ଏସ୍କୁ ଭୟଭୀତ କରିବା ପାଇଁ କେନ୍ଦ୍ର ସରକାର ଇଡି ଓ ସିବିଆଇ ମାଧ୍ୟମରେ ନିଷ୍ଫଳ ପ୍ରୟାସ କରୁଛନ୍ତି ବୋଲି କବିତା ଅଭିଯୋଗ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp