ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଗେହଲଟଙ୍କ ଏଭଳି ପଦକ୍ଷେପ ଦ୍ବାରା ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଦିଲ୍ଲୀର ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଗେହଲଟ ଦିଲ୍ଲୀବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଦଳକୁ କୃତଜ୍ଞତା ଜ୍ଞାପନ କରିଥିଲେ ମଧ୍ୟ ଲୋକଙ୍କ ସମସ୍ୟା ପ୍ରତି ଦଳର ଉଦାସୀନତା ଏବଂ ପ୍ରଦୂଷଣଜନିତ ସଙ୍କଟ ମୁକାବିଲାରେ ବିଫଳତାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାରୀ ବାସଭବନକୁ ନେଇ ହୋଇଥିବା ବିବାଦ ଓ ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ସେ ଉତ୍ଥାପନ କରିଛନ୍ତି।
ସେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି- ‘ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଆଜି ଆମ୍ ଆଦମୀ ପାର୍ଟି ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଯେଉଁ ମୂଲ୍ୟବୋଧ ଆପ୍କୁ ଏକାଠି କରିଥିଲା ତାହା ସଙ୍କଟରେ ପଡ଼ିଛି। ଆମ ରାଜନୈତିକ ଆକାଂକ୍ଷା ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ପଛରେ ପକାଇ ଦେଇଛି ଏବଂ ଅନେକ ପ୍ରତିଶ୍ରୁତି ପୂରଣ ହୋଇନାହିଁ ।’ ଏହା ସହିତ ଆପ୍ ଆବାହକ ଅରବିନ୍ଦ କେଜ୍ରିଵାଲଙ୍କୁ ଲେଖିଥିବା ଏକ ପୃଥକ ଚିଠିରେ ଗେହଲଟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଆପ୍ ସରକାର ମୌଳିକ ସେବା ଯୋଗାଇବାରେ ଘୋର ଅକ୍ଷମତା ଦେଖାଇଛି। ଯଦି ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ସହ ବିବାଦରେ ଫସି ରହିବେ ତେବେ ଦିଲ୍ଲୀର ପ୍ରକୃତ ପ୍ରଗତି ହୋଇପାରିବ ନାହିଁ ବୋଲି ମଧ୍ୟ ଗେହଲଟ ଗୁରୁତ୍ୱାରୋପ କରିଛନ୍ତି। ଆପ୍ ଦଳରେ ରହି ଦିଲ୍ଲୀବାସୀଙ୍କ ସେବା କରିବା ସମ୍ଭବ ହେଉନଥିବାରୁ ସେ ଦଳ ଛାଡ଼ିବା ନିଷ୍ପତ୍ତି ନେଲେ ବୋଲି କହିଛନ୍ତି।
ଦଳ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରୁନାହିଁ
ଆପ୍-ବିଜେପି କାଦୁଅ ଫିଙ୍ଗା
ଆପ୍ରୁ ଦୂରେଇ ଯିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଗେହଲଟ କହିଥିବା ବେଳେ ଆପ୍ ମଧ୍ୟ ଗେହଲଟଙ୍କୁ ଟାର୍ଗେଟ୍ କରିଛି। ସିବିଆଇ ଓ ଇଡି ଚାପରେ ଗେହଲଟ ଏଭଳି ପଦକ୍ଷେପ ନେଇଛନ୍ତି ଏବଂ ଏହା ପଛରେ ବିଜେପିର ଷଡ଼ଯନ୍ତ୍ର ରହିଛି ବୋଲି ଆପ୍ ସାଂସଦ ସଂଜୟ ସିଂହ କହିଛନ୍ତି। ଅନ୍ୟପକ୍ଷରେ ଗେହଲଟ ଆପ୍ ଛାଡ଼ିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଜେପି କହିଛି। ଆପ୍ର ଘୃଣ୍ୟ ରାଜନୀତିରୁ ବାହାରି ଆସିବା ପାଇଁ ଗେହଲଟ ଠିକ୍ ସମୟରେ ସାହସ ଦେଖାଇଛନ୍ତି ବୋଲି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି। ଆଜି ଆଉ ଏକ ଘଟଣାକ୍ରମରେ ପୂର୍ବତନ ବିଜେପି ବିଧାୟକ ଅନିଲ ଝା ଆପ୍ରେ ସାମିଲ ହୋଇଛନ୍ତି। କିରାଡ଼ି ବିଧାନସଭା ଆସନରୁ ଦୁଇ ଥର ବିଜେପିରୁ ବିଧାୟକ ନିର୍ବାଚିତ ହୋଇଥିବା ଝା ଆଜି ଆପ୍ରେ ସାମିଲ ହେବାପରେ କହିଛନ୍ତି ଯେ କେଜ୍ରିୱାଲଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଆପ୍ରେ ସାମିଲ ହୋଇଛନ୍ତି।