କାଜାଖସ୍ତାନ ହିଂସା : ଆନ୍ଦୋଳନକାରୀଙ୍କ ଉପରେ ବିନା ଦ୍ବିଧାରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ

ଅଲମାଟି : କେନ୍ଦ୍ର ଏସୀୟ ଦେଶ କାଜାଖସ୍ତାନରେ ପରିସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ଦମନ କରିବାକୁ କାଜାଖ ସରକାର କଠୋର ନୀତି ଗ୍ରହଣ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ଚେତାବନୀ ନ ଦେଇ ବିନା ଦ୍ବିଧାରେ ଗୁଳି ଚଳାଇବାକୁ ରାଷ୍ଟ୍ରପତି କାସିମ  ଜୋରମାଟ ଟୋକାୟେଭ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନାରୀମାନେ ଯଦି ଅଧିକ ଅସ୍ଥିରତା ସୃଷ୍ଟି କରିବେ ତେବେ ସେମାନଙ୍କୁ ଦୃଢହସ୍ତରେ ଦମନ କରାଯିବ ।

ଗତ ଦୁଇ ସପ୍ତାହ ହେଲା କାଜାଖସ୍ତାନରେ ଚାଲିଥିବା ସରକାର ବିରୋଧୀ ହିଂସାଯୋଗୁଁ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ ୧୮ ଜଣ ପୁଲିସ ଓ ନ୍ୟାସନାଲ ଗାର୍ଡ କର୍ମଚାରୀ ବୋଲି କାଜାଖ୍ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ତେଲଦର ବୃଦ୍ଧି ପାଇବା କାରଣରୁ କାଜାକସ୍ତାନରେ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା । କ୍ରମେ ଏହି ଜନଅସନ୍ତୋଷ ସରକାର ବିରୋଧୀ ଆକ୍ରୋଶରେ ପରିଣତ ହୋଇଥିଲା । ଲୋକମାନେ ରାସ୍ତାକୁ ଓହ୍ଲାଇବା ସହ ବିରୋଧ ହିଂସାତ୍ମକ ହୋଇଥିଲା । ଏହାକୁ ଦମନ କରିବାକୁ ସେଠାକାର ରାଷ୍ଟ୍ରପତି କାସିମ ଟୋକାୟେଭ ଦେଶରେ ଦୁଇ ସପ୍ତାହ ପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିଲେ । ଏହା ସହିତ ଏକ ଋଷିଆ ସମର୍ଥିତ ଏକ ମିଲିଟାରୀ ବାହିନୀକୁ ବିଦ୍ରୋହ ଦମନ ପାଇଁ ନିୟୋଜିତ କରିଥିଲେ । ଏହାକୁ ଶାନ୍ତିସେନା ବୋଲି ଋଷିଆ କହୁଛି ।

ସମ୍ବନ୍ଧିତ ଖବର