କାଜାଖସ୍ତାନ ସ୍ଥିତି ଅଣାୟତ୍ତ : ବିଦ୍ରୋହୀଙ୍କ ସହ ଆଲୋଚନା ପାଇଁ ମନା କଲେ ଟୋକାଏଭ, ଗୁଳି କରିବା ନିର୍ଦ୍ଦେଶ ଦୋହରାଇଲେ

ଅଲମାଟି : କାଜାଖସ୍ତାନରେ ଚାଲିଥିବା ହିଂସାକାଣ୍ଡ ସାମାନ୍ୟ କମିଥିଲେ ବି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ବିଦ୍ରୋହୀମାନଙ୍କ ଆଲୋଚନା ପାଇଁ ଅନ୍ତର୍ଜାତୀୟ ସଂପ୍ରଦାୟ କରିଥିବା ନିବେଦନକୁ ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେଭ୍ ଖାରଜ କରିଦେଇଛନ୍ତି । ଏହା ସହିତ ବିଦ୍ରୋହୀମାନଙ୍କୁ ବିନା ଚେତାବନୀରେ ଗୁଳି ମାରିବା ନିର୍ଦ୍ଦେଶକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ରାସ୍ତାରେ ବୁଲୁଥିବା ସଶସ୍ତ୍ର ଡକାୟତମାନଙ୍କୁ ଶେଷ କରିଦିଆଯିବ, ସେମାନଙ୍କ ସହ ଆଲୋଚନା କରାଯିବ ନାହିଁ ।

ସେନା ଓ ପୁଲିସ କର୍ମୀଙ୍କ ଭୟରେ ସମଗ୍ର ସହର ଜନଶୂନ୍ୟ ହୋଇଯାଇଯାଇଛି । ଆମେରିକା ସରକାର ନିଜର ଦୂତାବାସରେ ଥିବା ଅଣଜରୁରୀ କର୍ମଚାରୀଙ୍କୁ ପ୍ରତ୍ୟାହାର କରିନେଇଛନ୍ତି ।

ଅନ୍ୟପକ୍ଷରେ ସରକାର ବିରୋଧୀଙ୍କ ଉପରେ ଗୁଳିଚାଳନା ପରି ଅମାନବୀୟ ନିର୍ଦ୍ଦେଶ ଦେଇଥିବା ଟୋକାୟେଭଙ୍କୁ ସମଗ୍ର ବିଶ୍ବ ସମୁଦାୟ ସମାଲୋଚନା କରୁଥିବାବେଳେ ତାଙ୍କ ସମର୍ଥନରେ ଆସିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନି ପିନ । ଅନ୍ୟପକ୍ଷରେ ସଂଜମ ରକ୍ଷା ପାଇଁ ୟୁରୋପୀୟ ସଂଘ ପକ୍ଷରୁ ନିବେଦନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ତେଲ ଓ ଗ୍ୟାସଦର ବୃଦ୍ଧି ପାଇବା କାରଣରୁ କାଜାକସ୍ତାନରେ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା । କ୍ରମେ ଏହି ଜନ ଅସନ୍ତୋଷ ସରକାର ବିରୋଧୀ ଆକ୍ରୋଶରେ ପରିଣତ ହୋଇଥିଲା । ଲୋକମାନେ ରାସ୍ତାକୁ ଓହ୍ଲାଇବା ସହ ବିରୋଧ ହିଂସାତ୍ମକ ହୋଇଥିଲା । ଏହାକୁ ଦମନ କରିବାକୁ ସେଠାକାର ରାଷ୍ଟ୍ରପତି କାସିମ ଟୋକାୟେଭ ଦେଶରେ ଦୁଇ ସପ୍ତାହ ପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିଲେ । ଏହା ସହିତ ଏକ ଋଷିଆ ସମର୍ଥିତ ଏକ ମିଲିଟାରୀ ବାହିନୀକୁ ବିଦ୍ରୋହ ଦମନ ପାଇଁ ନିୟୋଜିତ କରିଥିଲେ । ସରକାର ବିରୋଧୀଙ୍କୁ ବିନା ଚେତାବନୀରେ ଗୁଳିମାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର