ତେଲଦର ବଢିବାରୁ କାଜାଖସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ! ୧୨ ମୃତ

ଭାରତୀୟଙ୍କୁ ଫେରାଇ ଆଣିବାକୁ ନୂଆଦିଲ୍ଲୀ ପ୍ରସ୍ତୁତ

ଅଲମାଟି : କାଜାଖସ୍ତାନରେ ଦେଖାଦେଇଥିବା ସରକାର ବିରୋଧୀ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି । ଏହା ଧୀରେ ଧୀରେ ଗୃହଯୁଦ୍ଧରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆଜି ଏହି ହିଂସା ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ଓ ପୁଲିସ କର୍ମୀ ଅଛନ୍ତି ।

ଦେଶରେ ତେଲଦର ବୃଦ୍ଧି ପାଇବା କାରଣରୁ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା । କ୍ରମେ ଏହି ଜନଅସନ୍ତୋଷ ସରକାର ବିରୋଧୀ ଆକ୍ରୋଶରେ ପରିଣତ ହୋଇଥିଲା । ଲୋକମାନେ ରାସ୍ତାକୁ ଓହ୍ଲାଇବା ସହ ବିରୋଧ ହିଂସାତ୍ମକ ହୋଇଥିଲା । ଏହାକୁ ଦମନ କରିବାକୁ ସେଠାକାର ରାଷ୍ଟ୍ରପତି କାସିମ ଟୋକାୟେଭ ଦେଶରେ ଦୁଇ ସପ୍ତାହ ପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିଲେ । ଏହା ସହିତ ଏକ ଋଷିଆ ସମର୍ଥିତ ମିଲିଟାରୀ ସଂଗଠନକୁ ବିଦ୍ରୋହ ଦମନ ପାଇଁ ନିୟୋଜିତ କରିଥିଲେ । ଏ ପ୍ରସଙ୍ଗରେ ୟୁରୋପୀୟ ସଂଘ ଚିନ୍ତା ପ୍ରକଟ କରିବା ସହ ଋଷିଆକୁ ଚେତାବନୀ ଦେଇଛି ।

କାଜାଖସ୍ତାନ ପରିସ୍ଥିତି ଉପରେ ଭାରତ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ସେଠାରେ ଭାରତୀୟଙ୍କ ସୁରକ୍ଷା ଉପରେ ଭାରତୀୟ ଦୂତାବାସ ନଜର ରଖିଛି । ଯଦି ଆବଶ୍ୟକ ପଡ଼େ, ସେଠାରୁ ଭାରତୀୟଙ୍କୁ ନିରାପଦରେ ଫେରାଇ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

 

 

ସମ୍ବନ୍ଧିତ ଖବର