ଜାତୀୟ ଦଳ ଘୋଷଣା କଲେ କେସିଆର, ଏହା ରଖିଲେ ନୂଆ ଦଳର ନାମ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି | ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ନିଜକୁ ଜାତୀୟ ନେତା ଭାବେ ପରିଚିତ କରାଇବା ପାଇଁ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। ଆଉ ଏହି କ୍ରମରେ ସେ ଆଜି ନିଜର ରାଷ୍ଟ୍ରୀୟ ଦଳ ବାବଦରେ ଘୋଷଣା କରିଛନ୍ତି | କେସିଆର ତାଙ୍କ ନୂଆ ଦଳର ନାମ ଭାରତ ରାଷ୍ଟ୍ର ସମିତି ରଖିଛନ୍ତି | ତେଲେଙ୍ଗାନା ଭବନରେ ଆୟୋଜିତ ଦଳର ସାଧାରଣ ବୈଠକରେ ସର୍ବସମ୍ମତି କ୍ରମେ ଏହି ନୂଆ ରାଷ୍ଟ୍ରୀୟ ଦଳର ସଂକଳ୍ପ ପାରିତ ହୋଇଛି।

ସୂଚନା ଥାଉ କି କେସିଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଜେଡିଏସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମଧ୍ୟ ଯୋଗ ଦେଇଥିଲେ | ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କେସିଆର ତାଙ୍କ କ୍ୟାବିନେଟ ସହକର୍ମୀ ତଥା ଦଳର ସମସ୍ତ ୩୩ ଜିଲ୍ଲା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ। ଆଉ ସେମାନଙ୍କ ସହ ଜାତୀୟ ଦଳର ଶୁଭାରମ୍ଭ ପାଇଁ ରୋଡମ୍ୟାପ ବିଷୟରେ କେସିଆର ଆଲୋଚନା କରିଥିବା କୁହାଯାଉଛି।

ତେବେ ଏହାକୁ ନେଇ ବିଜେପି ତେଲେଙ୍ଗାନା ମୁଖପାତ୍ର ଏନ.ଭି ସୁଭାଷ କହିଛନ୍ତି ଯେ ଜାତୀୟ ରାଜନୀତିରେ ପ୍ରବେଶ କରି ତାଙ୍କ ସରକାରଙ୍କ ବିଫଳତାକୁ ଦୂର କରିବା ପାଇଁ କେସିଆର ରଣନୀତି କରିଛନ୍ତି । ସେ କହିଛନ୍ତି, “ନୂତନ ପାର୍ଟି ପାଇଁ ୧୦୦ କୋଟି ଟଙ୍କାରେ ୧୨ ସିଟ୍ ବିଶିଷ୍ଟ ବିମାନ କିଣାଯାଇଛି। ସାଧାରଣ ଟଙ୍କା କିପରି ଚୋରି ହୋଇଛି ଏହା ତାହାର ଏକ ଉଦାହରଣ। ଏହାକୁ ବିଜେପି ବରଦାସ୍ତ କରିବ ନାହିଁ।”

ସମ୍ବନ୍ଧିତ ଖବର