ମମତାଙ୍କୁ ଭେଟିଲେ କେସିଆର୍‌

କୋଲ୍‌କାତା ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଜିତି ପୁଣି କ୍ଷମତାକୁ ଫେରିବା ପରେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଜାତୀୟ ରାଜନୀତି ଆଡ଼େ ଢଳିଛନ୍ତି। କେନ୍ଦ୍ରରେ ଅଣବିଜେପି ଓ ଅଣକଂଗ୍ରେସ ଶାସନ ପାଇଁ ଦଳଗୁଡ଼ିକୁ ଏକାଠି କରିବା ଲାଗି ସେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେସିଆର୍‌ ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରି‌ମୋ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଦେଶରେ ଅଣବିଜେପି ଓ ଅଣକଂଗ୍ରେସ ସରକାର ଆଣିବା ଦିଗରେ ଉଭୟଙ୍କର ଏହି ସାକ୍ଷାତ ଖୁବ୍‌ଶୀଘ୍ର ଏକ ସକାରାତ୍ମକ ନିର୍ଯାସ ବାହାର କରିବ ବୋଲି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ କେସିଆର୍‌ ଆଶା ପ୍ରକାଶ କରିଛନ୍ତି।
କୋଲ୍‌କାତାରେ ମମତାଙ୍କୁ ଭେଟିବା ପରେ କେସିଆର୍‌ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଆଞ୍ଚଳିକ ଦଳ ସହ ଆଲୋଚନା ଜାରି ରହିବ। ସଂଘୀୟ ମେଣ୍ଟ ଗଠନ ନେଇ ଆମେ ଠୋସ୍‌ ଯୋଜନା ପ୍ରସ୍ତୁତ କରିବୁ। ଦେଶବାସୀ ଖୁବ୍‌ଶୀଘ୍ର ଭଲ ଖବର ପାଇବେ। ନବୀନ ଓ ମମତାଙ୍କୁ ଭେଟିବା ପରେ କେସିଆର୍‌ ଖୁବ୍‌ଶୀଘ୍ର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ଭେଟିବେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ନେଇ ମହାମେଣ୍ଟ ଗଠନ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ କେସିଆର୍‌ଙ୍କ ଆଭିମୁଖ୍ୟ ଜାତୀୟ ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି।

ସମ୍ବନ୍ଧିତ ଖବର