ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଶନିବାର ଦିନ ଏକ ଭିଡିଓ ଟୁଇଟ୍ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି। ତାଙ୍କର ଏହି ଟ୍ୱିଟରେ ଦର ବୃଦ୍ଧିକୁ ନେଇ ସିଲିଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲଗାଥିବା ଦେଖାଯାଇଛି। ଏହାର ଏକ ଭିଡିଓ ଟ୍ବିଟ କରି ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟ୍ୟାଗ୍ କରିବା ସହ କହିଛନ୍ତି ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଲଗାଯାଉ ବୋଲି ଆପଣ ଚାହୁଁଥିଲେ। ଦେଖ ଏବେ ଆମେ ଏହା କରି ଦେଇଛୁ।

Advertisment

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସାରା ରାଜ୍ୟରେ ଥିବା ରାସନ ଦୋକାନରେ ଲଗାଯିବା ଉଚିତ ବୋଲି ତେଲେଙ୍ଗାନା ଗସ୍ତ ସମୟରେ କହିଥିଲେ ନିର୍ମଳା ସୀତାରମଣ। ତାଙ୍କର ଏହି କଥାର ପ୍ରତିକ୍ରିୟା ଦେବାକୁ ଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏଭଳି ଭିଡିଓ ଟ୍ବିଟ କରିଥିବା ଜଣାପଡ଼ିଛି। ଲଗାଯାଇଥିବା ଫଟୋରେ ମୋଦୀଜୀ ଲେଖାଥିବା ସହ ସିଲିଣ୍ଡରର ଦର ଲେଖାଯାଇଛି। ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଟି ହରିଶ ରାଓ କହିଛନ୍ତି ଯେ ନିର୍ମଳା ସୀତାରମଣ ଏଭଳି ପ୍ରତ୍ୟେକ ରାସନ ଦୋକାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଲଗାଇବା ପାଇଁ କହି ପ୍ରଧାନମନ୍ତ୍ରୀଙ୍କ ଗାରିମାକୁ ନଷ୍ଟ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ବିଜେପିକୁ ଟାର୍ଗେଟ କରିଥିଲେ କେସିଆର। ସେ କହିଥିଲେ ଯେ, ୨୦୨୪ଲୋକସଭା ନିର୍ବାଚନରେ ​​ବିରୋଧୀଙ୍କୁ ଏକଜୁଟ କରିବା ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସହ କଥା ହେଲି। ସେ ଏଥିରେ ରାଜି ଅଛନ୍ତି। ଆମକୁ ୨୦୨୪ ଲୋକସଭା ନିର୍ବାଚନରେ ​​ଜିତିବା ଏବଂ ବିଜେପିକୁ ଦେଶ ବାହାରକୁ ପଠାଇବା ପାଇଁ ବିରୋଧୀଙ୍କୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ। ତେବେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ନୀତୀଶ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ସେଥିପାଇଁ ମୁଁ ତାଙ୍କୁ ଭେଟିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶର ପ୍ରତ୍ୟେକ ବ୍ୟକ୍ତି ବିଜେପି ସରକାରଙ୍କ ଉପରେ ଅସନ୍ତୁଷ୍ଟ। ବିଭିନ୍ନ ଟିକସ ନାମରେ ସରକାର ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବିଜେପି। ବିକାଶ ନାମରେ ସରକାର କେବଳ ଲୋକଙ୍କୁ ଠକୁଛନ୍ତି। ବିଜେପି ସରକାରଙ୍କ ଅଧୀନରେ ଦେଶର କୌଣସି କ୍ଷେତ୍ରର ବିକାଶ ହୋଇନାହିଁ। ଡଲାର ତୁଳନାରେ ଟଙ୍କା କ୍ରମାଗତ ଭାବେ ହ୍ରାସ ପାଇଛି। ଦେଶର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଣି କିଣିବାକୁ ପଡ଼ୁଛଇ। କାହିଁକି ଆଜି ବି ଏହି ଅବସ୍ଥା ଜାରି ରହିଛି? ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ।