ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଜୋରଦାର ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍) ପୁଣି ଶାସନକୁ ଫେରିବେ ବୋଲି ଆକଳନ କରାଯାଇଛି। ରାଜ୍ୟର ୧୧୯ ବିଧାନସଭା ଆସନ ମଧ୍ୟରୁ କେସିଆର୍ଙ୍କ ଟିଆର୍ଏସ୍ (ତେଲେଙ୍ଗାନା ରାଷ୍ଟ୍ର ସମିତି) ୭୦ ଆସନ ପାଇ ବହୁମତ ହାସଲ କରିବ। ସିଏନ୍ଏକ୍ସ-ଟାଇମ୍ସ ନାଓ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏହି ସୂଚନା ମିଳିଛି। ସର୍ଭେ ଦର୍ଶାଇଛି ଯେ ୧୧୯ ଆସନ ମଧ୍ୟରୁ ଟିଆର୍ଏସ୍ ୭୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୩୧ ଓ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ୨ରେ ସନ୍ତୁଷ୍ଟ ହେବ। ସେହିଭଳି ଏଆଇଏମ୍ଆଇଏମ୍ ୮ଟି ଆସନ ହାତେଇବାକୁ ଥିବା ବେଳେ ବିଜେପି ୩ଟି ପାଇବ ବୋଲି ଆଶା କରାଯାଉଛି। ଅନ୍ୟ ଦଳଗୁଡ଼ିକ ମିଳିତ ଭାବେ ୫ଟି ଆସନ ପାଇବେ। ଉଲ୍ଲେଖଯୋଗ୍ୟ, ଲୋକସଭା ସାଙ୍ଗକୁ ରାଜ୍ୟ ବିଧାନସଭା ନିର୍ବାଚନ କରାଇନଦେବା ଲାଗି କେସିଆର୍ ଚଳିତବର୍ଷ ସେପ୍ଟେମ୍ବରରେ ବିଧାନସଭାକୁ ଭାଙ୍ଗିଦେଇଥିଲେ। ଏକାଠି ନିର୍ବାଚନ ହେଲେ ରାଜ୍ୟ ମଧ୍ୟକୁ ହେଭିୱେଟ୍ ନେତମାନେ ଆସି ଭୋଟର୍ଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରି କେସିଆର୍ ଏଭଳି ପଦକ୍ଷେପ ନେଇଥିଲେ।
କଂଗ୍ରେସକୁ ଘେରିଲେ ଅମିତ୍ ଶାହ, ସହରୀ ନକ୍ସଲ୍ଙ୍କୁ ସମର୍ଥନ ଦେଉଛି
ନିର୍ମଳ: ତେଲେଙ୍ଗାନାର ନିର୍ମଳ ଜିଲ୍ଲାରେ ଅନୁଷ୍ଠିତ ବିଜେପିର ଜନସମାବେଶରେ ଉଦ୍ବୋଧନ ଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ସିଧା କଂଗ୍ରେସକୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସହରୀ ନକ୍ସଲବାଦକୁ ପ୍ରୋତ୍ସାହନ ଦେଉଛି। ନିକଟରେ ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ନବିସ୍ ସରକାର ସହରୀ ନକ୍ସଲ୍ଙ୍କୁ ଗିରଫ କରିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଥିଲା। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେମାନଙ୍କୁ ସମର୍ଥନ ଜଣାଇଥିଲେ। ସେମାନଙ୍କୁ ଛାଡ଼ିଦେବା ପାଇଁ ଚାପ ସୃଷ୍ଟି କରିଥିଲେ। ନକ୍ସଲବାଦ ଦ୍ବାରା ତେଲେଙ୍ଗାନାରେ ଶହ ଶହ ଲୋକ ପ୍ରାଣ ହରାଇଥିବା କଥାକୁ ବୋଧେ ରାହୁଲ ଭୁଲିଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/kcr-2.jpg)