ରୁପା କଢ଼ାଯାଇ ସମ୍ପୂର୍ଣ୍ଣ ସୁନା ଛାଉଣି ହେଲା କେଦାରନାଥ ମନ୍ଦିରର ଗର୍ଭଗୃହ     

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି।

ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା ଛାଉଣି କାର୍ଯ୍ୟରେ ଲାଗିଥିଲେ। ୧୮ଟି ତଟୁଘୋଡ଼ା ଛାଉଣି ପାଇଁ ଆବଶ୍ୟକ ୫୫୦ଟି ସୁନା ଚାଦର ବୋହି ଆଣିଥିଲେ।

ମାପଚୁପ, ସୁନା ଚାଦର ଲଗାଇବା ପାଇଁ ପଥର କାନ୍ଥ ପ୍ରସ୍ତୁତି ଆଦି ପ୍ରାରମ୍ଭିକ କାର୍ଯ୍ୟ ଦେଢ଼ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ପ୍ରାୟ ୧ ସପ୍ତାହ ତଳେ ରୂର୍‌କୀସ୍ଥିତ ‘ସେଣ୍ଟ୍ରାଲ୍‌ ବିଲ୍‌ଡିଙ୍ଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ‘ଆଇଆଇଟି-ରୂର୍‌କୀ’ ଏବଂ ‘ଏଏସ୍‌ଆଇ’ର ୬ଜଣିଆ ସଦସ୍ୟ ଟିମ୍‌ ମନ୍ଦିର ପର୍ଯ୍ୟବେକ୍ଷଣ କରିଥିଲେ। ସେମାନଙ୍କ ପରାମର୍ଶକ୍ରମେ ସୁନା ଛାଉଣି କରାଯାଇଥିଲା।

ଏହା ପୂର୍ବରୁ ୨୦୧୭ରେ କେଦାରନାଥ ମନ୍ଦିରର ଗର୍ଭଗୃହ କାନ୍ଥକୁ ୨୩୦ କିଲୋ ରୁପାରେ ଆଚ୍ଛାଦିତ କରାଯାଇଥିଲା। ସୁନା ଛାଉଣି କରାଯିବା ପାଇଁ ରୁପା ଛାଉଣି କଢ଼ାଯାଇ ମନ୍ଦିରର ଭିତର ପରିଚ୍ଛନ୍ନ କରାଯାଇଥିଲା। ସୁନା ଚାଦରର ସଠିକ ମାପ ପାଇବା ପାଇଁ ପ୍ରଥମେ କାନ୍ଥରେ ତମ୍ବା ଫିଟିଙ୍ଗ୍‌ ଲଗାଯାଇଥିଲା। ରୁପା ଛାଉଣି ପାଇଁ ଯେତେ ରୁପା ଲାଗିଥିଲା ସୁନା ଛାଉଣି ପାଇଁ ତା’ଠାରୁ ଅଧିକ ସୁନା ଲାଗିଛି।

Image Courtesy of ABP

ଗର୍ଭଗୃହରେ ଥିବା ଚାରିଟି ସ୍ତମ୍ଭ, ଝାଲିରି, ଛତ୍ର, ସିଲିଙ୍ଗ୍‌ ଓ କାନ୍ଥକୁ ସୁନା ଚାଦରରେ ଆଚ୍ଛାଦନ କରାଯାଇଛି। କିନ୍ତୁ, ଏଥିପାଇଁ କେତେ ସୁନା ଲାଗିଛି ଓ କେତେ ଟଙ୍କା ବ୍ୟୟ କରାଯାଇଛି,ସେ ବିଷୟରେ ସରକାରୀ ଅଧିକାରୀମାନେ କିଛି କହିନାହାନ୍ତି। କଡ଼ା ପହରାରେ ଉକ୍ତ ସୁନା ଚାଦରଗୁଡ଼ିକୁ ସପ୍ତାହେ ତଳେ ଦିଲ୍ଲୀରୁ ଗୌରୀକୁଣ୍ଡକୁ ଅଣାଯାଇଥିଲା। ଛାଉଣି ପାଇଁ ଆବଶ୍ୟକ ସମସ୍ତ ସୁନା ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦାନ କରିଛନ୍ତି, କିନ୍ତୁ ତାଙ୍କ ନାମ ପ୍ରଘଟ କରାଯାଇନାହିଁ।

ଉଲ୍ଲେଖଯୋଗ୍ୟ, ଶୀତ ଅବକାଶ ଆରମ୍ଭ ହୋଇଯାଇଥିବାରୁ ଆଜିଠାରୁ କେଦାରନାଥ ମନ୍ଦିର ୬ ମାସ ପାଇଁ ବନ୍ଦ ରହିବ।

ସମ୍ବନ୍ଧିତ ଖବର