କେଦାରନାଥ ଯାତ୍ରା: ଖଚର ୧୦୧ କୋଟି ଟଙ୍କା ଉପାର୍ଜନ କରିଥିବା ବେଳେ ହେଲିକପ୍ଟର୍‌ ଆୟ କରିଛି ୭୫ କୋଟି ଟଙ୍କା

ଡେରାଡୁନ୍‌: ଚଳିତ ବର୍ଷ କେଦାରନାଥ ଯାତ୍ରୀ ପରିବହନ କ୍ଷେତ୍ରରେ ଖଚରମାନେ ପ୍ରାୟ ୧୦୧ କୋଟି ଟଙ୍କା ଉପାର୍ଜନ କରିଥିବା ବେଳେ ହେଲିକପ୍ଟର୍‌ ସବୁ ୭୫ କୋଟି ଟଙ୍କା ଆୟ କରିଥିବା କଥା ଗୁରୁବାର ଦିନ ରିଲିଜ୍‌ ହୋଇଥିବା ସରକାରୀ ଡାଟାରୁ ଜଣାପଡ଼ିଛି।

କେଦାରନାଥକୁ ଆସିଥିବା ୧୫ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ୫.୩ ଲକ୍ଷ ଯାତ୍ରୀ ଖଚର ଚଢ଼ି ଆସିବା ଫଳରେ ଖଚର ମାଲିକମାନେ ୧୦୧.୩୦ କୋଟି ଟଙ୍କା ଅର୍ଜନ କରିଛନ୍ତି। କିନ୍ତୁ, ହେଲିକପ୍ଟର୍‌ ଯୋଗେ ଯାତ୍ରୀ ପରିବହନ କରିଥିବା ହେଲିକପ୍ଟର୍‌ ଫାର୍ମ ସବୁ ୭୫ରୁ ୮୦ କୋଟି ଟଙ୍କା ଅର୍ଜନ କରିଛନ୍ତି।

ତଥ୍ୟାବଳିରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଚଳିତ ବର୍ଷ ଯାତ୍ରା ବେଳେ ପାଲିଙ୍କି ମାଲିକମାନେ ମଧ୍ୟ ୮୬ ଲକ୍ଷ ଟଙ୍କା ଉପାର୍ଜନ କରିଛନ୍ତି। ଖଚର, ହେଲିକପ୍ଟର୍‌ ଓ ପାଲିଙ୍କିରୁ ହୋଇଥିବା ସମୁଦାୟ ଆୟ ହେଉଛି ୧୯୦ କୋଟି ଟଙ୍କାରୁ ସାମାନ୍ୟ ଅଧିକ।

Image Courtesy of The Better Andhra

ରାଜ୍ୟ ସରକାରଙ୍କ ନିକଟରେ ୪,୩୦୨ଜଣ ଖଚର ମାଲିକ ଓ ୮,୬୬୪ଟି ଖଚର ପଞ୍ଜିକୃତ ହୋଇଛନ୍ତି। ସମ୍ପ୍ରତି ସିର୍‌ସି, ଫାଟା ଓ ଗୁପ୍ତକାଶୀ ଆଦି ୩ଟି ସ୍ଥାନରୁ କେଦାରନାଥକୁ ୯ଟି ହେଲିକପ୍ଟର୍‌ ଫାର୍ମର ହେଲିକପ୍ଟର୍‌ ଯାତାୟାତ କରୁଛି।

ଖଚର, ପାଲିଙ୍କି ଓ ହେଲିକପ୍ଟର୍‌ ଆୟରୁ ରାଜ୍ୟ ସରକାର ଟିକଟ ଓ ପଞ୍ଜିକରଣ ବାବଦକୁ ୮ କୋଟି ଟଙ୍କା ରାଜସ୍ବ ପାଇଛନ୍ତି।

Image Courtesy of Times of India

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ଗତ ଦୁଇ ବର୍ଷ ହେବ ଯାତ୍ରାରେ କାଣ୍ଟଛାଣ୍ଟ ହେତୁ ବାର୍ଷିକ ଏହି ତୀର୍ଥଯାତ୍ରାରୁ ଜୀବିକା ଉପାର୍ଜନ କରୁଥିବା ଲୋକେ କ୍ଷତି ସହିଥିଲେ। ଚଳିତ ବର୍ଷ ରେକର୍ଡସଂଖ୍ୟକ ଯାତ୍ରୀଙ୍କ ଆଗମନ ସେମାନଙ୍କ ପାଇଁ ସୌଭାଗ୍ୟ ଆଣିଛି। ସେମାନେ ଦୁଇ ବର୍ଷ କ୍ଷତି ଭରଣା କରିବାରେ ସମର୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର