ନୂଆଦିଲ୍ଲୀ : ନାଭି ମୁମ୍ବାଇର ତାଲୋଜା ଜେଲ୍‌ରେ ବନ୍ଦୀ ଥିବା ସାମାଜିକ କାର୍ଯ୍ୟକର୍ତ୍ତା ଗୌତମ ନବଲଖାଙ୍କୁ ୨୪ ଘଣ୍ଟା ମଧ୍ୟରେ ଗୃହବନ୍ଦୀ ରଖିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଲଗାର ପରିଷଦ ମାମଲାରେ ଜେଲ୍‌ରେ ଥିବା ନବଲଖାଙ୍କୁ ଅସୁସ୍ଥତା କାରଣ ପାଇଁ ଗୃହବନ୍ଦୀ ରଖିବାପାଇଁ ସୁପ୍ରିମକୋର୍ଟ ଗତ ନଭେମ୍ବର ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନ୍‌ଆଇଏ ସୁପ୍ରିମକୋର୍ଟଙ୍କ ଏହି ରାୟର ପୁନର୍ବିଚାର କରିବାପାଇଁ କୋର୍ଟରେ ପୁଣିଥରେ ଆବେଦନ କରିଥିଲେ। ନବଲଖାଙ୍କର ମାଓବାଦୀ ଏବଂ ପାକିସ୍ତାନ ଆଇଏସ୍‌ଆଇ ସହ ସମ୍ପୃକ୍ତି ଥିବା ଅଭିଯୋଗ କରି ଏନ୍‌ଆଇଏ ନବଲଖାଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖିବାପାଇଁ ମନା କରିଥିଲା। କିନ୍ତୁ କୋର୍ଟ ଏନ୍ଆଇଏର ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ନବଲଖାଙ୍କୁ ୨୪ ଘଣ୍ଟା‌ ମଧ୍ୟରେ ଗୃହବନ୍ଦୀ ରଖିବାପାଇଁ କହିଛନ୍ତି।

Advertisment

ଏନ୍ଆଇଏ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଏସ୍‌ଜି (ସଲିସିଟର ଜେନେରାଲ) ତୁଷାର ମେହଟା କହିଛନ୍ତି, ନବଲଖା ତାଙ୍କ ନିଜ ଘରର ଠିକଣା ଦେବା ପରିବର୍ତ୍ତେ କମ୍ୟୁନିଷ୍ଟ ପାର୍ଟିର ଲାଇବ୍ରେରି ଏବଂ ଅଫିସ୍‌ ଠିକଣା ଦେଇଛନ୍ତି। ଏହାର ଉତ୍ତରରେ କୋର୍ଟ କହିଥିଲେ ନବଲଖା ସିପିଆଇ ମାଲିକାନାରେ ଥିବା ଠିକଣାରେ ରହିଲେ କୌଣସି ଅସୁବିଧା ନାହିଁ। ନବଲଖା ଗୃହବନ୍ଦୀ ରହିବା ସ୍ଥାନରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।