କ୍ଷମା ମାଗିବେ କେଜ୍ରିଓ୍ଵାଲ୍‌

ଅସମ୍ଭାଳ ହେଲା ମାନହାନି ମୋକଦ୍ଦମା ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦମୀ ପାର୍ଟି(ଆପ୍‌) ଅନ୍ୟମାନଙ୍କୁ ଦୁର୍ନୀତିଗ୍ରସ୍ତ କହି ଶାଣିତ ବାକ୍ୟରେ ଆକ୍ରମଣ କରିବାର ମନୋଭାବରେ ପରିବର୍ତ୍ତନ ଆଣିଛି। ମିଥ୍ୟା ଅଭିଯୋଗ ଲଗାଇ କାହାକୁ ବଦନାମ କରିବାର ପରିଣତି ସ୍ୱରୂପ ବହୁମୂଲ୍ୟ ଦେବାକୁ ପଡ଼ିବ ଆଶଙ୍କା କରି ଦଳ ଏବେ ପସ୍ତାଇବା ଆରମ୍ଭ କରିଛି। ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆପ୍‌ ପକ୍ଷରୁ ହୋଇଥିବା ଅଭିଯୋଗର ପ୍ରତିକ୍ରିୟା ସ୍ୱରୂପ ଦଳର ନେତାମାନଙ୍କ ବିରୋଧରେ ଆସିଥିବା ୨୦ରୁ ଅଧିକ ମାନହାନି ମୋକଦ୍ଦମା ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଏଥିରୁ ନିସ୍ତାର ପାଇବା ଲାଗି ଦଳ ଏବେ ମିଥ୍ୟା ଅଭିଯୋଗ ଲଦିବା ପରି କୃତକର୍ମ ପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ହେଉଛି। ପଞ୍ଜାବର ପୂର୍ବ କ୍ୟାବିନେଟ୍‌ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିିଆ ଡ୍ରଗ୍‌ କାରବାରରେ ସଂପୃକ୍ତ ବୋଲି ଗତବର୍ଷ ଅଭିଯୋଗ ଆଣିଥିବା କେଜ୍ରିଓ୍ଵାଲ୍‌ ସେଥିପାଇଁ ଆଜି ଅଦାଲତରେ ଅନୁତାପ ପ୍ରକାଶ କରିବା ସହ ମାଜିଥିଆଙ୍କୁ ଚିଠି ଲେଖି କ୍ଷମା ମାଗିବା ପରେ ଆପ୍‌ ଅନ୍ୟ ମାମଲାରେ ମଧ୍ୟ ଅନୁରୂପ ପନ୍ଥା ଆପଣେଇବ ବୋଲି ଦଳର ନେତା ସୌରଭ ଭରଦ୍ୱାଜ ସୂଚନା ଦେଇଛନ୍ତି। ଆପ୍‌ ପ୍ରତିଷ୍ଠାତା ମୁଖ୍ୟ ତଥା ଦଳର ଜାତୀୟ ଆବାହକ କେଜ୍ରିଓ୍ଵାଲ୍‌ ଗୁରୁବାର ପଞ୍ଜାବର ପୂର୍ବ ରାଜସ୍ୱ ମନ୍ତ୍ରୀ ମାଜିଥିଆଙ୍କୁ କ୍ଷମା ମାଗି ଏକ ଚିଠି ଲେଖିଛନ୍ତି। ସେଥିରେ ସେ ତାଙ୍କ ବିରୋଧରେ ଗତବର୍ଷ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇ ତାଙ୍କର ବକ୍ତବ୍ୟ ଫେରାଇ ନେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। କେଜ୍ରିଓ୍ଵାଲ ଅନୁରୂପ ଭାବେ ହରିଆନାର ବିଜେପି ନେତା ଅବତାର ସିଂହ ଭଦନାଙ୍କୁ କ୍ଷମା ମାଗି ସେ ଦାଏର କରିଥିବା ମାନହାନି ମୋକଦ୍ଦମାର ଅନ୍ତ ଘଟାଇଥିଲେ।

ସମ୍ବନ୍ଧିତ ଖବର