ମହିଳା ଭୋଟର୍‌ଙ୍କୁ ନେଇ ଟ୍ବିଟରରେ କେଜ୍ରିୱାଲ୍‌ -ସ୍ମୃତି ଲଢ଼େଇ

ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମଧ୍ୟରେ ଆଜି ଟ୍ବିଟରରେ ଲଢ଼େଇ ହୋଇଛି। ମହିଳା ଭୋଟର୍‌ଙ୍କୁ ନେଇ କେଜ୍ରିୱାଲ୍‌ କରିଥିବା ଏକ ଟ୍ବିଟ୍‌କୁ କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ଇରାନୀ। ଆଜି କେଜ୍ରିୱାଲ୍‌ ଏକ ଟ୍ବିଟ୍‌ କରି ଲୋକଙ୍କୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଥିଲେ। କେଜ୍ରିୱାଲ୍‌ କହିଥିଲେ, ସେ ସ୍ବତନ୍ତ୍ର ଭାବେ ମହିଳାମାନଙ୍କୁ ଏହା ଅନୁରୋଧ କରିବାକୁ ଚାହୁଛନ୍ତି ଯେ, ଘରର ଦାୟିତ୍ବ ପରି ସେମାନଙ୍କ କାନ୍ଧରେ ଦିଲ୍ଲୀ ଏବଂ ସମଗ୍ର ଦେଶର ଦାୟିତ୍ବ ରହିଛି। ‌ତେଣୁ ସେମାନେ ଭୋଟ୍‌ ଦିଅନ୍ତୁ ଏବଂ ଭୋଟ୍‌ ଦେବାକୁ ଯିବାବେଳେ ସେମାନେ ସାଙ୍ଗରେ ଜଣେ ପୁରୁଷଙ୍କୁ ନିଅନ୍ତୁ ଏବଂ କାହାକୁ ଭୋଟ୍‌ ଦେବେ ସେନେଇ ମଧ୍ୟ ମହିଳାମାନେ ପ୍ରଥମେ ପୁରୁଷଙ୍କୁ ପରାମର୍ଶ ଦିଅନ୍ତୁ ବୋଲି କେଜ୍ରିୱାଲ୍‌ କହିଥିଲେ। କିନ୍ତୁ ସ୍ମୃତି ଇରାନୀ କେଜ୍ରିୱାଲ୍‌ଙ୍କର ଏହି ଟ୍ବିଟ୍‌କୁ ବିରୋଧ କରି କେଜ୍ରିୱାଲ ଜଣେ ମହିଳା ବିରୋଧୀ ବୋଲି କହିଥିଲେ। ଏଭଳି ଟ୍ବିଟ୍‌ ପଛରେ ତାଙ୍କ ଉଦ୍ଦେଶ୍ୟ କ’ଣ ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି। ସ୍ମୃତି କହିଛନ୍ତି, କେଜ୍ରିୱାଲ୍‌ କ’ଣ ଏହା ଜାଣିପାରୁନାହାନ୍ତି ଯେ ମହିଳାମାନେ ନିଜ ଭୋଟ୍‌ ନିଜେ ଦେବାପାଇଁ ସକ୍ଷମ। ଦିଲ୍ଲୀ ମହିଳାମାନେ କାହାକୁ ଭୋଟ୍‌ ଦେବେ ସେ‌ ନିଷ୍ପତ୍ତି ସେମାନେ ନେଇ ସାରିଛନ୍ତି। ଚଳିତ ଥର ଦିଲ୍ଲୀରେ ମହିଳମାାନେ ସେମାନଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଭୋଟ୍‌ ପାଇଁ ନିଷ୍ପତ୍ତି ନେବେ ବୋଲି କେଜ୍ରିୱାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର