ଜେଲରେ ଥିବା ମନୀଷ ସିସୋଦିଆଙ୍କୁ ମନେ ପକାଇ କାନ୍ଦିଲେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବୁଧବାର ବଓ୍ଵାନା ଅଞ୍ଚଳରେ ଏକ ନୂତନ ବିଦ୍ୟାଳୟର ଉଦଘାଟନ କରିବା ଅବସରରେ ତାଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜେଲରେ ଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ମନେ ପକାଇ କାନ୍ଦି ପକାଇଛନ୍ତି।

ମନୀଷ ସିସୋଦିଆଙ୍କ ପ୍ରସଙ୍ଗରେ କେଜ୍ରିଓ୍ଵାଲ କେନ୍ଦ୍ରକୁ ତୀବ୍ର ସମାଲୋଚନା କରିବା ସହ କହିଛନ୍ତି ଯେ, ଜାତୀୟ ରାଜଧାନୀର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାରେ ବିପ୍ଳବକୁ ରୋକିବାକୁ ଚେଷ୍ଟା କରାଯାଉଛି। ଏହା ସିସୋଦିଆଙ୍କ ସ୍ୱପ୍ନ ଥିଲା। ସେମାନେ (ବିଜେପି) ଆମଶିକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଆମେ ସେମାନଙ୍କୁ ସଫଳ ହେବାକୁ ଦେବୁ ନାହିଁ। ସେମାନେ ସିସୋଦିଆଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ତାଙ୍କୁ ଅନ୍ୟାୟ ଭାବେ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍କୁଲ ନିର୍ମାଣରେ ସେ ସକ୍ରିୟ ଭାବେ ଜଡ଼ିତ ଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଛି। ନଚେତ୍‌ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥାନ୍ତା ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କେଜ୍ରିଓ୍ଵାଲ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ ମିଥ୍ୟା ଅଭିଯୋଗ ଆଣି ଏବଂ ମନୀଷ ସିସୋଦିଆଙ୍କ ବିରୋଧରେ ଭୁଲ ମାମଲା ରୁଜୁ କରି ଭୁଲ ବ୍ୟକ୍ତିଙ୍କୁ ଜେଲରେ ରଖିଛନ୍ତି। ମନୀଷ ସିସୋଦିଆ ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ଉତ୍ତମ ବିଦ୍ୟାଳୟ ନିର୍ମାଣ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ଛି। ଦିଲ୍ଲୀର ସ୍କୁଲଗୁଡ଼ିକ ସବୁଆଡ଼େ ପ୍ରଶଂସିତ ହେଉଥିବାରୁ ସେମାନେ ଆକ୍ରୋଶମୂଳକ ଭାବେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର