ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ଆଜି ଆମ୍ ଆଦ୍ମୀ ପାର୍ଟି (ଆପ୍) ହଟଚମଟ ସୃଷ୍ଟି କରିଛି। ଜାମିନ ମିଳିବାର ଦୁଇ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅପରାହ୍ନରେ ଅନୁଷ୍ଠିତ ଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତ, ଦୁଇ ଦିନ ମଧ୍ୟରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି। ଜନସାଧାରଣ ସେମାନଙ୍କ ରାୟ ଘୋଷଣା ନକରିବା ପର୍ଯ୍ୟନ୍ତ ମୁଁ ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ। ଦିଲ୍ଲୀରେ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ କେଜ୍ରିୱାଲଙ୍କ ଏହି ଘୋଷଣା ଦିଲ୍ଲୀ ରାଜନୀତିକୁ ଉଷ୍ମ କରିଛି। କେଜ୍ରିୱାଲ କହିଛନ୍ତି, ଅଦାଲତରୁ ମୋତେ ନ୍ୟାୟ ମିଳିଛି, ଏବେ ଲୋକଙ୍କ କୋର୍ଟରୁ ନ୍ୟାୟ ମିଳିବ। ଲୋକଙ୍କ ନିର୍ଦ୍ଦେଶ ପରେ ହିଁ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି।
ବୈଠକରେ କେଜ୍ରିୱାଲ ଆଗୁଆ ନିର୍ବାଚନ କରାଇବା ପାଇଁ ମଧ୍ୟ ପ୍ରସ୍ତାବ ରଖି କହିଛନ୍ତି, ମୁଁ ଦିଲ୍ଲୀବାସୀଙ୍କୁ ପଚାରିବାକୁ ଚାହୁଛି ଯେ କେଜ୍ରିୱାଲ୍ ନିର୍ଦ୍ଦୋଷ ନା ଦୋଷୀ? ଯଦି ମୁଁ ଲୋକଙ୍କ ପାଇଁ କାମ କରିଛି, ତେବେ ମୋତେ ଭୋଟ୍ ଦିଅନ୍ତୁ ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ଆପ୍ ବିଧାୟକମାନଙ୍କର ଏକ ବୈଠକ ବସି ଜାତୀୟ ରାଜଧାନୀ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହିତ ଫେବ୍ରୁଆରିରେ ଦିଲ୍ଲୀରେ ନିର୍ବାଚନ ହେବାକୁ ଥିବାବେଳେ ଦିଲ୍ଲୀରେ ଏହାକୁ ଆଗୁଆ ନଭେମ୍ବରରେ କରିବାକୁ କେଜ୍ରିୱାଲ ଦାବି କରିଛନ୍ତି। ଆପ୍ କର୍ମୀଙ୍କୁ ସମ୍ବୋଧିତ କରି କେଜ୍ରିଵାଲ ନରେନ୍ଦ୍ର ମୋଦୀ ସରକାରକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଏହା ବ୍ରିଟିସମାନଙ୍କ ତୁଳନାରେ ଅଧିକ ଏକଛତ୍ରବାଦୀ।
ମୋଦୀ ସରକାର ବ୍ରିଟିସ ତୁଳନାରେ ଅଧିକ ଏକଛତ୍ରବାଦୀ
ନଭେମ୍ବରରେ ନିର୍ବାଚନ କରିବାକୁ ଦାବି କଲେ
ଅଧିକ ନାଟକ ନକରି ତତ୍କାଳ ଇସ୍ତଫା ଦିଅ: ବିଜେପି
ବହୁତ ଆଗରୁ ଇସ୍ତଫା ଦେବା ଉଚିତ ଥିଲା: କଂଗ୍ରେସ
ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଥିବାରୁ ଗିରଫ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲି ବୋଲି କେଜ୍ରିୱାଲ କହିଛନ୍ତି। ‘ସେମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ମୁଁ ଅଣବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିବାକୁ ଚାହୁଛି, ଯଦି ସେମାନେ ଆପଣଙ୍କ ବିରୋଧରେ ମାମଲା ରୁଜୁ କରନ୍ତି ତେବେ ଇସ୍ତଫା ଦିଅନ୍ତୁ ନାହିଁ। ଏହା ସେମାନଙ୍କର ନୂଆ ଖେଳ’ ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀବାସୀଙ୍କୁ ଭାବପ୍ରବଣ ଆବେଦନ କରି କେଜ୍ରିୱାଲ କହିଛନ୍ତି, ଏବେ ମୋର ଓ ମନିଷ ସିସୋଦିଆଙ୍କ ଭାଗ୍ୟ ଆପଣଙ୍କ ହାତରେ ରହିଛି।
ଅନ୍ୟପକ୍ଷରେ ବିଜେପି ପ୍ରଶ୍ନ କରିଛି ଯେ ସର୍ବଦା ଲୋକଙ୍କୁ ବିଭ୍ରାନ୍ତ କରୁଥିବା କେଜ୍ରିୱାଲ ତାଙ୍କ ଇସ୍ତଫା ପାଇଁ ୪୮ ଘଣ୍ଟା କାହିଁକି ନେଇଛନ୍ତି? ସେ ଅଧିକ ନାଟକ ନକରି ଆଜି ହିଁ ଇସ୍ତଫା ଦେବା ଉଚିତ। ଅତୀତରେ ମଧ୍ୟ ସେ ଏଭଳି କରିଛନ୍ତି। ଦିଲ୍ଲୀବାସୀ ଏବେ ପଚାରୁଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଇପାରିବେ ନାହିଁ କି ସରକାରୀ ଫାଇଲ୍ରେ ଦସ୍ତଖତ କରିପାରିବେ ନାହିଁ ତା’ହେଲେ ସେ ମୁଖ୍ୟମନ୍ତ୍ରୀ ପଦରେ କାହିଁକି ଅଛନ୍ତି ? ଆଗୁଆ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କି ବୋଲି ପଚରାଯିବାରୁ ଦଳର ବରିଷ୍ଠ ନେତା ହରିଶ ଖୁରାନା କହିଛନ୍ତି, ଆଜି ହେଉ କି ଆସନ୍ତାକାଲି ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛୁ। ୨୫ ବର୍ଷ ପରେ ଆମେ ଦିଲ୍ଲୀରେ କ୍ଷମତାକୁ ଫେରିବୁ ବୋଲି ସେ କହିଛନ୍ତି। ଦିଲ୍ଲୀ କଂଗ୍ରେସ କେଜ୍ରିଵାଲଙ୍କ ଇସ୍ତଫାକୁ ସ୍ୱାଗତ କରି କହିଛି ଯେ କେଜ୍ରିୱାଲ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନିଷ୍ପତ୍ତି ନେବା ଭଲ କଥା। ସେ ବହୁତ ଆଗରୁ ଇସ୍ତଫା ଦେବା ଆବଶ୍ୟକ ଥିଲା। ଦିଲ୍ଲୀକୁ ଖୁବଶୀଘ୍ର ଜଣେ ନୂଆ ମୁଖ୍ୟମନ୍ତ୍ରୀ ମିଳିଲେ ସେ ତାଙ୍କ କାର୍ଯ୍ୟାଳୟକୁ ଯାଇ ଅନ୍ତତଃ ଫାଇଲରେ ଦସ୍ତଖତ କରିପାରିବେ ବୋଲି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/kejriwal.jpg)