ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଛି । ଦିଲ୍ଲୀର ରଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କାର ଜାମିନ ବଣ୍ଡରେ ଏହି ଜାମିନ ମିଳିଛି।

Advertisment

ଏହା ପୂର୍ବରୁ ଜୁନ୍ ୧୯ ରେ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନିୟମିତ ଜାମିନ ଆବେଦନ ଉପରେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଶୁଣାଣି ପରେ ରାଉଜ୍ ଆଭେନ୍ୟୁ କୋର୍ଟ  କେଜ୍ରିୱାଲଙ୍କ ହେପାଜତକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ଜୁନ୍ ୨୦ ତାରିଖ ଗୁରୁବାର ଦିନ କୋର୍ଟ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ଦେବା ସହ ୧ ଲକ୍ଷ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି।

କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଆମ୍ ଆଦମୀ ପାର୍ଟି ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କେଜ୍ରିଓ୍ଵାଲଙ୍କୁ ଜାମିନ ମିଳିବା ପରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଟ୍ୱିଟ୍ କରି ଲେଖିଛନ୍ତି  "ସତ୍ୟମେବ ଜୟତେ! ଖୁବଶୀଘ୍ର କେଜ୍ରିୱାଲ ଜେଲରୁ ବାହାରିପାରନ୍ତି ବୋଲି ଅନୁମାନ କରାଯାଉଛି ।"

ଏହା ପୂର୍ବରୁ ନିର୍ବାଚନ ସମୟରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଓ ଜୁନ ୨ରେ ସେ ତିହାର ଜେଲ ଯାଇ ଆତ୍ମସମର୍ପଣ କରିଥିଲେ ।