ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ଆଜି ସୁପ୍ରିମ୍କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ଯୁକ୍ତିସଂଗତ ତର୍କ ରହିଛି। ତାଙ୍କୁ ୯୦ ଦିନରୁ ଅଧିକ ସମୟ ଧରି ଜେଲ୍ରେ ରଖାଯାଇଥିବା ବେଳେ ଏ କ୍ଷେତ୍ରରେ ତାଙ୍କର ସ୍ବାଧୀନତାର ଅଧିକାରକୁ ପ୍ରାଥମିକତା ଦେଇ ଜାମିନ ପ୍ରଦାନ କରାଯାଉଛି। ତେବେ ଆମେ ତାଙ୍କୁ ଇସ୍ତଫା ଦେବାକୁ କହିପାରିବୁନି ଏବଂ ଏ ସଂକ୍ରାନ୍ତ ନିଷ୍ପତ୍ତି ସେ ନିଜେ ହିଁ ନେଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗତ ମେ ୧୦ ତାରିଖରେ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଜାମିନ ପ୍ରଦାନ କରାଯାଇଥିଲା ଏବଂ ଜୁନ୍ ୨ ତାରିଖରେ କେଜ୍ରିୱାଲ ତିହାର ଜେଲ୍ରେ ଆତ୍ମସମର୍ପଣ କରିଥିଲେ। ଆଜି ଜାମିନ ପାଇବା ସତ୍ତ୍ବେ କେଜ୍ରିୱାଲ ହାଜତରୁ ମୁକୁଳି ପାରିବେ ନାହିଁ। ଜୁନ୍ ୨୫ ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ଅଧୀନରେ ପୃଥକ ଭାବେ ଗିରଫ କରିଥିବା ବେଳେ ଆଜି ତାଙ୍କର ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପିଏମ୍ଏଲଏ ଅଧୀନରେ ଗିରଫ କରିବାର ଆବଶ୍ୟକତା ଏବଂ କେବଳ ଜେରା ପାଇଁ ଗିରଫ କରାଯିବା ପ୍ରଶ୍ନ ଉପରେ ସୁପ୍ରିମ୍କୋର୍ଟ ଏକ ବଡ଼ ଖଣ୍ଡପୀଠରେ ଶୁଣାଣି ଆବଶ୍ୟକତା ନେଇ ଉଲ୍ଲେଖ କରିଛନ୍ତି।
ପିଏମ୍ଏଲଏର ଧାରା ୧୯ ଅନୁଯାୟୀ ଗିରଫ ପାଇଁ ଜେରାର ଆବଶ୍ୟକତା ଏକମାତ୍ର ଆଧାର ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରି ଜଷ୍ଟିସ ଖାନ୍ନା କହିଛନ୍ତି ଯେ ବୃହତ୍ ଖଣ୍ଡପୀଠ ଏ ବାବଦ ନିର୍ଦ୍ଦିଷ୍ଟ ମାନଦଣ୍ଡଗୁଡ଼ିକୁ ତର୍ଜମା କରିବା ଉଚିତ । ସୂଚନାଯୋଗ୍ୟ, ଜୁନ୍ ୨୦ତାରିଖରେ ଏକ ସ୍ୱତନ୍ତ୍ର ଅଦାଲତ କେଜ୍ରିଵାଲଙ୍କୁ ପିଏମ୍ଏଲ୍ଏର ଧାରା ୪୫ ଅନୁଯାୟୀ ବୈଧାନିକ ଜାମିନ ପ୍ରଦାନ କରିଥିଲେ। ଏହି ଆଇନର ଧାରା ୪୫ ଅନୁଯାୟୀ ପିଏମ୍ଏଲଏ ଅଧୀନରେ ଜାମିନ ପାଇଁ ସ୍ୱତନ୍ତ୍ର ଅଦାଲତରେ ଆବେଦନ କରାଯାଏ। ଜାମିନ ଚାହୁଥିବା ଅଭିଯୁକ୍ତଙ୍କୁ କଠୋର ଦୁଇଟି ସର୍ତ୍ତ ପୂରଣ କରିବାକୁ ପଡିବ ଯେ ସେ ପ୍ରାଥମିକ ଦୃଷ୍ଟିରୁ ନିର୍ଦ୍ଦୋଷ ଏବଂ ଭବିଷ୍ୟତରେ କୌଣସି ଅପରାଧ କରିବାର ସମ୍ଭାବନା ନାହିଁ । କିନ୍ତୁ ଦିଲ୍ଲୀ ହାଇକୋର୍ଟ ଜୁନ୍ ୨୫ରେ କେଜ୍ରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇଥିଲେ। କେଜ୍ରିୱାଲଙ୍କୁ ୧୦୦କୋଟି ଟଙ୍କା ଲାଞ୍ଚ କାରବାରରେ ଇଡି ‘କିଙ୍ଗପିନ୍’ ବୋଲି ଦର୍ଶାଇଛି।
କାର୍ଯ୍ୟାଳୟ କିମ୍ବା ସଚିବାଳୟ ଯାଇପାରିବେନି
ଫାଇଲ୍ରେ ଦସ୍ତଖତ ଉପରେ ବି କଟକଣା
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଅନ୍ତରୀଣ ଜାମିନ ପାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ସୁପ୍ରିମ୍କୋର୍ଟ କଠୋର ସର୍ତ୍ତ ରଖିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଯେଉଁ ପ୍ରମୁଖ ସର୍ତ୍ତ ରଖିଛନ୍ତି, ତାହା ହେଲା ଆପ୍ ମୁଖ୍ୟ ତାଙ୍କ କାର୍ଯ୍ୟକାଳ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇପାରିବେ ନାହିଁ। ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ପାଇବା ପାଇଁ ଆବଶ୍ୟକ ହେଉଥିବା ଅତି ଜରୁରୀ ଫାଇଲ ବ୍ୟତୀତ ଅନ୍ୟ ଫାଇଲ୍ରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିପାରିବେ ନାହିଁ। ସେ କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ କିମ୍ବା ମାମଲା ସହିତ ଜଡିତ କୌଣସି ସରକାରୀ ଫାଇଲ ହାସଲ କରିପାରିବେ ନାହିଁ। ଆଜି ଅନ୍ତରୀଣ ଜାମିନ ପ୍ରସଙ୍ଗରେ ବିଜେପି କେଜ୍ରିୱାଲଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ ବୋଲି କହିଛି।